ନୂଆପଡା ପ୍ରସ୍ତାବିତ୍‌ ରେଳପଥ ପ୍ରତି ଅବହେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ନୂଆପଡା ପ୍ରସ୍ତାବିତ ରେଳପଥ ପ୍ରତି ରେଳ ବିଭାଗ ଚରମ ଅବହେଳା ପ୍ରଦର୍ଶନ କରିଛି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଏକ ପ୍ରେସ ବିବୃତିରେ କହିଛନ୍ତି । ଏହି ପ୍ରସ୍ତାବିତ ରେଳପଥର ପ୍ରାରମ୍ଭିକ ବୈଷୟିକ ଓ ଯାତାୟତ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇ ୨୦୧୬ ମସିହା ମେ ୨୪ ଦିନ ରେଳବାଇ ବୋର୍ଡ କାର୍ଯ୍ୟାଳୟରେ ଦାଖଲ କରାଯାଇଥିଲା ବୋଲି ସୂଚନା ଅଧିକାର ଆଇନରେ ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରାଯାଇଥିଲା । ଏହା ମଧ୍ୟରେ ୮ ବର୍ଷରୁ ଅଧିକ ସମୟ ବିତି ଯାଇଛି କିନ୍ତୁ ରେଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ । ପ୍ରସ୍ତାବିତ ରେଳପଥକୁ ବଲାଙ୍ଗିର ଜିଲ୍ଲାର ହର୍ଡାଟାଲ, ଚୁଡାପାଲି, ଭଇଁଷା, ପାଟଣାଗଡ ଗମ୍ଭାରୀ, ହରିଶଙ୍କର ଏବଂ ଲଖନା ଦେଇ ନିର୍ମାଣ କରିବା ପାଇଁ ପ୍ରାରମ୍ଭିକ ସର୍ଭେ ରିପୋର୍ଟରେ ପ୍ରସ୍ତାବ ରହିଛି । ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧିନ ରେଳପଥ ଭଳି ସମଦଶା ଭୋଗ କରି ସାରିଛି ପ୍ରସ୍ତାବିତ ବଲାଙ୍ଗିର-ନୂଆପଡା ରେଳପଥର ଭାଗ୍ୟ ବୋଲି ପଣ୍ଡା କହଛନ୍ତି । ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପ୍ରକଳ୍ପ ମଧ୍ୟ ପ୍ରାରମ୍ଭିକ ସର୍ଭେ ହେଲା ପରେ ବହୁ ବର୍ଷ ଧରି ରେଳ ବିଭାଗରେ ପଡି ରହିବା ପରେ ୧୯୯୩ ମସିହାରେ ମଞ୍ଜୁରି ପାଇଥିଲା ଓ ପ୍ରକଳ୍ପକୁ ଦିଆଯାଇଥିବା ମଞ୍ଜୁରୀ ଅନୁସାରେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ କରାଯାଇଥାନ୍ତା ତାହେଲେ ବଲାଙ୍ଗିରବାସୀ ଏହି ବର୍ଷ ଖୋର୍ଦ୍ଧାରୁ ବଲାଙ୍ଗିର ପର୍ଯ୍ୟନ୍ତ ରେଳ ଚଳାଚଳର ରୌପ୍ୟ ଜୟନ୍ତୀ ବର୍ଷ ପାଳନ କରିଥାନ୍ତେ ବୋଲି ପଣ୍ଡା କହିଛନ୍ତି । ରେଳ ବିଭାଗର ବଲାଙ୍ଗିର ପ୍ରତି ଅତୀତର ଅବହେଳାକୁ ଅବଲୋକନ କଲେ ବଲାଙ୍ଗିର-ନୂଆପଡା ରେଳପଥ କେବେ ହେବ ଏହା ଅନିଶ୍ଚିତ ବୋଲି ପଣ୍ଡା କହିଛନ୍ତି ।

Leave A Reply

Your email address will not be published.