ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲରେ ଆବଶ୍ୟକ ଫଳ ବୃକ୍ଷ ଲଗାଯାଉ : ସୋରଡ଼ା ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିକାଶ ମୂଳକ କମିଟି ପକ୍ଷରୁ ବେଲଗୁଣ୍ଠା ବ୍ଲକ୍ ସଭା ଗୃହ ପରିସରରେ ଜିଲ୍ଲାର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଗହଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସମସ୍ତ ବିଭାଗର ଜନହିତକର ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ପୂର୍ବାହ୍ନ ସମୟରୁ ଆରମ୍ଭ ହୋଇଥିବା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା, ଯାହା ସଂଧ୍ୟା ପର୍ଯ୍ୟନ୍ତ ଚାଲିଥିଲା । ସୋରଡ଼ା ନିର୍ବାଚନ ମଣ୍ଡଳୀ ଅଧୀନରେ କାର୍ଯ୍ୟକାରୀ ସମସ୍ତ ବିକାଶ କାର୍ଯ୍ୟ ଯେପରି ସଠିକ୍‌ ଭାବେ ଅନୁପାଳନ ହେବ ସେହି ଦିଗରେ ଗୁରୁତ୍ୱ ଦେବା ନିମନ୍ତେ ସମସ୍ତ ଅଧିକାରୀଙ୍କୁ ଜଣାଇଥିଲେ । ଆଲୋଚନା ଅବସରରେ ବିଧାୟକ ଜଣାଇଥିଲେ ଯେ, ମଣିଷ ମାନଙ୍କ ନିମନ୍ତେ ଯେମିତି ଖାଦ୍ୟ ଆବଶ୍ୟକ ରହିଛି, ଠିକ ସେମିତି ପଶୁ ପକ୍ଷୀଙ୍କ ସକାଶେ ଖାଦ୍ୟ ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ ହେବା ଜରୁରୀ ବୋଲି ଆଲୋଚିତ ହୋଇଛି । ଯାହାକି ଜଙ୍ଗଲରେ ବଞ୍ଚି ରହୁଥିବା ପଶୁ ପକ୍ଷୀମାନେ ଯେପରି ଅନାହାରର ଜନିତ ମୃତ୍ୟୁବରଣ ନ କରିବେ ସେ ଦିଗରେ ଧ୍ୟାନ ଦେବା ଉଚିତ୍ ବୋଲି ବିଧାୟକ ନୀଳମଣି ବିଷୋୟୀ କହିଛନ୍ତି । ତେବେ ଆରାମରେ ଜଙ୍ଗଲରେ ପଶୁ ପକ୍ଷୀମାନେ ସୂଚାରୁ ରୂପେ ବିଚରଣ କରିପାରିବେ । ସେମାନଙ୍କର ବଞ୍ଚି ରହିବା ସହଜ ସାଧ୍ୟ ହେବ । ତେଣୁ ଜଙ୍ଗଲ ମଧ୍ୟରେ ଫଳ ଜାତୀୟ ଫଳ ବୃକ୍ଷ ଅଧିକା ଲଗାଇବାକୁ ଯୋଜନା କରିବାକୁ ଜଙ୍ଗଲ ବିଭାଗକୁ ଜଣାଇ ଥିଲେ । କୃଷକଙ୍କ ବିକାଶରେ ଦେଶର ବିକାଶ ହେବ । ଅଣଧାନ ଚାଷ ପ୍ରତି ଦୃଷ୍ଟି ଦେଲେ ଚାଷୀ ଅଧିକା ଉପକୃତ ହେବେ । ବିଭିନ୍ନ ଜାତିର ଚାଷ ଦିଗରେ କୃଷକ ମାନଙ୍କୁ ପ୍ରଶିକ୍ଷଣ ହେବା ଜରୁରୀ । ଜିଲ୍ଲାରୁ ଦାଦନ କମାଇବାକୁ ହେଲେ ବିଭିନ୍ନ ପ୍ରକାର ପନିପରିବା, ଫଳ, ଫୁଲ ଚାଷ ଦିଗରେ ଉତ୍ସାହିତ କରି ସେଗୁଡ଼ିକର ରକ୍ଷଣା ବେକ୍ଷଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ନେଇ ଯୋଜନା କରିବାକୁ ଜଣାଇଥିଲେ । ଚାଷ ଜମି ମାଟିର ଉର୍ବରତା ବଢ଼ାଇବା ପାଇଁ ଜୈବସାର ବ୍ୟବହାର ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ । ନଚେତ ୟୁରିଆର ବହୁଳ ବ୍ୟବହାର ଆଗାମୀ ଦିନରେ ଅନେକ ଅଜଣା ରୋଗରେ ଶିକାର ହେବାକୁ ପଡ଼ିବ । ତେଣୁ ବର୍ତ୍ତମାନ୍ ଠାରୁ ସତର୍କ ରହିବାକୁ ପଡିବ । ହିତାଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନା ପ୍ରଦାନ କରାଯାଏ, ତେବେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଗାଣ ଭଳି ଅନେକ ଯୋଜନାର ବାଟ ମାରଣାକୁ ରୋକିବା ସମ୍ଭବ ହୋଇପାରିବ । ଆଳୁ, ଟମାଟୋ ଭଳି ଅନେକ ଖାଦ୍ୟ ମହଜୁଦ କରି ରଖିବା ନିମନ୍ତେ କୋଲ୍ଡ ଷ୍ଟୋରର ବ୍ୟବସ୍ଥା ହେଲେ ପନିପରିବା ଦର ନିୟନ୍ତ୍ରଣ ରହିବ ଏହା ଦ୍ୱାରା ଜିଲ୍ଲାବାସୀ ଉପକୃତ ହୋଇ ପାରିବେ । କୃଷି, ସ୍ୱାସ୍ଥ୍ୟ, ରାସ୍ତା ଓ କୋଠାବାଡ଼ି, ଜଙ୍ଗଲ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଶକ୍ତି, ମତ୍ସ୍ୟ ଓ ପ୍ରାଣସମ୍ପଦ, ଜଳ ସମ୍ପଦ, ଶ୍ରମିକ କଲ୍ୟାଣ, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା, ସଂସ୍କୃତି, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଇତ୍ୟାଦି ବିଭାଗ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା । ଜିଲ୍ଲା ଯୋଜନା ବିଭାଗ ଅଧୀନରେ ଅନୁଷ୍ଟିତ ଏହି ବୈଠକରେ ବେଲଗୁଣ୍ଠା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଶ୍ରୀମତୀ ମଧୁମିତା, ଭଞ୍ଜନଗର ଉପ-ଜିଲ୍ଲାପାଳ ଅନୀଲ କୁମାର ସେଠୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀ ଯୋଗଦେଇ ଏ ଦିଗରେ ସାମୁହିକ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଳ୍ପ ପ୍ରତିଷ୍ଠାନ ପରିଚାଳକ ହୃଷୀକେଶ ବେହେରାଙ୍କ ସଂଯୋଜନା କରିଥିବା ବେଳେ ଆୟୋଜିତ ଏହି ବୈଠକଟିକୁ ଯୋଜନା ଓ ପରିସଂଖ୍ୟାନ ଉପ-ନିର୍ଦ୍ଦେଶକ ଅଶୋକ କୁମାର ଦାସ ପରିଚାଳନା କରିଥିଲେ ।

Leave A Reply

Your email address will not be published.