ମହିଳା ସ୍କୁଲ ପାଚିକାଙ୍କୁ ଅସଦାଚରଣ ଅଭିଯୋଗ : ଶିକ୍ଷକ ଫେରାର୍‌

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଚନ୍ଦ୍ରପୁରର ଜଣେ ଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ପଞ୍ଚାୟତ ସଦର ମହୁକୁମା ଆଶ୍ରମ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀର ମହିଳା ପାଚିକା । ଆଶ୍ରମ ସ୍କୁଲର ସହକାରୀ ଶିକ୍ଷକ ରାମଚନ୍ଦ୍ର ପାଢ଼ୀଙ୍କ ବିରୋଧରେ ଚନ୍ଦ୍ରପୁର ପୋଲିସ ଥାନାରେ ଚଳିତ ମାସ ୧୬ ତାରିଖ ଦିନ ସ୍କୁଲ ପାଚିକା ଏତଲା ଦେଇଥିଲେ । ଚନ୍ଦ୍ରପୁର ପୋଲିସ ଥାନା ଆଇଆଇସି ଧରଣୀଧର ପ୍ରଧାନ କେଶ ନମ୍ବର ୭୪/୨୪ରେ ଏକ ମାମଲା ରୁଜୁକରି ତଦନ୍ତ କରୁଛନ୍ତି । ମହିଳା ପାଚିକାଙ୍କ ଏତଲା ଅନୁଯାୟୀ ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ଗତ କିଛି ମାସ ହେଲା ତାଙ୍କୁ ଅସଦାଚରଣ କରି ଆସୁଥିଲେ । ଏ ସମ୍ପର୍କରେ କାହାକୁ କିଛି କହିଲେ, ବଦନାମ କରିଦେବେ ବୋଲି ନାନା ଧମକ ଚମକ ଦେଇ ପାଚିକାଙ୍କୁ ଭୟଭୀତ କରୁଥିଲେ । ଲୋକ ଲଜ୍ୟା ଭୟରେ ବାରମ୍ବାର ଅସଦାଚରଣର ଶିକାର ହୋଇ ମଧ୍ୟ ଥାନାରେ ଅଭିଯୋଗ କରି ପାରୁନଥିଲେ ସ୍କୁଲ ମହିଳା ପାଚିକା । କିନ୍ତୁ ଶିକ୍ଷକ ଜଣକ ପାଚିକାଙ୍କୁ ରୀତିମତ ନିର୍ଯ୍ୟାତନା ଦେଇ ଆସୁଥିଲେ । ସ୍କୁଲ ପାଚିକା ବାଧ୍ୟ ହୋଇ ସ୍ଥାନୀୟ ଲୋକଙ୍କୁ ଶିକ୍ଷକ ପାଢୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ କହିଥିଲେ । ଚନ୍ଦ୍ରପୁରର ସ୍ଥାନୀୟ ଲୋକଙ୍କ ସହାୟତାରେ ସୋମବାର ଦିନ ଚନ୍ଦ୍ରପୁର ପୋଲିସ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅନ୍ୟପଟେ ସହକାରୀ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ଫେରାର୍‌ ହୋଇ ଯାଇଥିବା ଆଇଆଇସି ଧରଣୀଧର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.

error: Content is protected !!