ଛତ୍ରପୁରରେ ଗଞ୍ଜାମ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡବଲ୍ ଇଞ୍ଜିନ୍ ବିଜେପି ସରକାରଙ୍କ ୧ ଶହ ଦିନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଷ୍ଟାଡିୟମ୍ ପରିସରରେ ଓଡ଼ିଶା ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ସ୍ୱରୂପ ‘ବିକାଶ ମେଳା-୨୦୨୪’ ରବିବାର ଦିବାଲୋକରେ ଉଦ୍‌ଘାଟିତ ହୋଇଯାଇଛି । ପୂର୍ବାହ୍ନ ୧୦ଟା ସମୟରେ ମେଗା ମଞ୍ଚରେ ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଖଣି, ଇସ୍ପାତ, ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ବର୍ଣ୍ଣାଢ଼୍ୟ-ମେଳା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ମନ୍ତ୍ରୀ ଓ ଅତିଥି ଦେବଙ୍କୁ ମୁଖ୍ୟ ତୋରଣ ନିକଟରୁ ପାଛୋଟି ନେଇ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ମନ୍ତ୍ରୀ, ଅତିଥିଗଣ ପ୍ରଦର୍ଶନୀ ପଡ଼ିଆରେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ । ମେଗାମଞ୍ଚରେ ବରେଣ୍ୟ ଅତିଥିଙ୍କ ଆସନ ଅଳଙ୍କୃତ ପରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ । ଏପରିକି ଉପସ୍ଥିତ ଜିଲ୍ଲାର ସମସ୍ତ ମଞ୍ଚାସୀନ ବିଧାୟକ ଗଣ, ଚେୟାର ପର୍ସନଙ୍କୁ ଜିଲ୍ଲାପାଳ ଶ୍ରୀ ପରିଡ଼ା ପଦକ ପ୍ରଦାନ କରି ସମ୍ମାନିତ କରିଥିଲେ । ବିବିଧ ପ୍ରଦର୍ଶନୀ ଷ୍ଟଲ୍, ଆଞ୍ଚଳିକ କଳାକାର, କଣ୍ଠ ଶିଳ୍ପୀ, ନୃତ୍ୟ ସଙ୍ଗୀତ, ଚିତ୍ରକଳା, ଅଭିନୟ ଆଦି ପରିବେଷିତ ହୋଇ ଛତ୍ରପୁର ସହରକୁ ଜିଲ୍ଲାର ସଂସ୍କୃତିର ଉପମାରେ ସରଗରମ କରିଦେଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଜିଲ୍ଲାର ବିଭିନ୍ନ ବ୍ଲକ୍, ସହର ଓ ଗ୍ରାମାଞ୍ଚଳରୁ ମହିଳା ସ୍ୱେଚ୍ଛାସେବୀ, ମିଶନଶକ୍ତି, ଏସ୍.ଏଚ୍ଚ.ଜି. ମହିଳା ଗୃପ୍ ହଜାର ହଜାର ସଂଖ୍ୟାରେ ଉଦ୍‌ଘାଟନୀ ପର୍ବରେ ସମାବେଶ ହୋଇଥିଲେ । ସମସ୍ତ ବର୍ଗର ମହିଳାମାନଙ୍କୁ ସୁଭଦ୍ରା ମା’ ବୋଲି ମଞ୍ଚରେ ମନ୍ତ୍ରୀ ସମ୍ବୋଧନ କରିଥିଲେ । ଅଗଣିତ ଦର୍ଶକ ଆତ୍ମ ବିଭୋର ସହ ମେଳାର ଆନନ୍ଦ ଉଲ୍ଲାସର ସୁଯୋଗ ନେଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସାଂଗକୁ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବ ବୋଲି ଜଣାଯାଇଛି । ଏହି ବିକାଶ ମେଳା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!