ପଶ୍ଚିମ ଓଡିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟ

  • ଛଅ ଟଙ୍କାର ଘୋଡାକୁ ନଅ ଟଙ୍କାର ଦାନା – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ ଦପ୍ତର ପଶ୍ଚିମ ଓଡିଶାର ଏକ ଜିଲ୍ଲାରେ ଖୋଲିବାକୁ ଦୀର୍ଘ ଦିନ ଧରି ଜୋର୍‌ଦାର୍‌ ଦାବୀ ହେବା ପରେ ଏହାକୁ ପ୍ରଶମିତ କରିବା ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପରିଷଦ ଅନ୍ତର୍ଗତ ୧୧ଟି ଜିଲ୍ଲାରେ କାର୍ଯ୍ୟାଳୟ ଖୋଲା ଯାଇଥିଲା । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡିକର କାର୍ଯ୍ୟ ଓ ଖର୍ଚ୍ଚକୁ ଦେଖିଲେ ଏହା ଛଅ ଟଙ୍କାର ଘୋଡାକୁ ନଅ ଟଙ୍କାର ଦାନା ସଦୃଶ ବୋଲି ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା କହିଛନ୍ତି । ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟରେ ୧୧ଟି ଜିଲ୍ଲାର ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟଗୁଡିକର ଆନୁସାଙ୍ଗିକ ଖର୍ଚ୍ଚ ଓ ଗାଡି ଭଡା ଗତ ୨ ଆର୍ଥିକ ବର୍ଷରେ ତଥା ୨୦୨୨ ମାର୍ଚ୍ଚରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ୪୮ ଲକ୍ଷ ୬୯ ହଜାର ୬ ଶହ ଟଙ୍କା । ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟର ଚିଠି ନଂ ୬୨୩୨ ତା ୧୨/୯ ୨୦୨୪ ଯୋଗେ ମିଳିଥିବା ତଥ୍ୟରୁ ଏସବୁ ଜଣାପଡିଛି । କାର୍ଯ୍ୟାଳୟମାନଙ୍କରେ କାମ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୩୮ ବୋଲି ତଥ୍ୟରେ କୁହାଯାଇଛି । ଏହି ୧୧ଟି ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟମାନଙ୍କରେ କାର୍ଯ୍ୟ କରୁଥିବା କୌଣସି କର୍ମଚାରୀଙ୍କୁ ପରିଷଦ ସିଧାସଳଖ ନିଯୁକ୍ତି ଦେଇ ନାହିଁ ଯଦିଓ ୪୯ ଲକ୍ଷ ୨୫ ହଜାର ୨୪୭ ଟଙ୍କା ଏମାନଙ୍କ ଦରମା ବାବଦରେ ଖର୍ଚ୍ଚ କରାଯାଇଛି । ଏହି କାର୍ଯ୍ୟାଳୟଗୁଡିକ ଯେଉଁ ଉଦ୍ଦେଶ୍ୟ ନେଇ ଜିଲ୍ଲା ସ୍ତରରେ ଖୋଲା ଯାଇଥିଲା ତା ମଧ୍ୟରେ ଜିଲ୍ଲାସ୍ତରୀୟ ମନିଟରିଂ କମିଟି ବୈଠକଗୁଡିକ ପ୍ରତ୍ୟେକ ମାସରେ କରାଯିବା କଥା ବୋଲି ତଥ୍ୟରେ କୁହାଯାଇଛି ହେଲେ ଆଶ୍ଚର୍ଯ୍ୟର କଥା ଯେ, ୬ଟି ଜିଲ୍ଲାରେ ଯଥା ବଲାଙ୍ଗିର, ବରଗଡ, ବୌଦ୍ଧ, କଳାହାଣ୍ଡି, ନୂଆପଡା ଓ ସମ୍ବଲପୁରରେ ଗତ ୨ ବର୍ଷରେ ଗୋଟିଏ ବି ମନିଟରିଂ କମିଟୀ ବୈଠକ ହୋଇ ନଥିବା ଦର୍ଶାଯାଇଥିବା ବେଳେ ଅନୁଗୁଳରେ ୨ଟି, ଦେବଗଡରେ ୪ଟି, ଝାରସୁଗୁଡାରେ ୩ଟି ଓ ସୁନ୍ଦରଗଡରେ ୬ଟି ବୈଠକ ଅନୁଷ୍ଠିତ ହୋଇଛି । ପରିଷଦର ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ୨ ବର୍ଷରେ ୨୪ଟି ଲେଖାଏଁ ମନିଟରିଂ କମିଟି ବୈଠକ ବସିବା କଥା । ବିକାଶ ପରିଷଦ ଅନ୍ତର୍ଗତ ୧୧ଟି ଜିଲ୍ଲାରେ ଖୋଲାଯାଇଥିବା କାର୍ଯ୍ୟାଳୟଗୁଡିକର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେଉ ନାହିଁ ବୋଲି ପଣ୍ଡା କହିଛନ୍ତି । ଏହି କାର୍ଯ୍ୟାଳୟଗୁଡିକୁ ସକ୍ରିୟ ଭାବେ କାର୍ଯ୍ୟକ୍ଷମ କରି ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟକୁ ପଶ୍ଚିମ ଓଡିଶାକୁ ସ୍ଥାନାନ୍ତର କରାଯାଉ ଓ ରାଜ୍ୟ ସରକାର ବିକାଶ ପରିଷଦ କାର୍ଯ୍ୟାଳୟମାନଙ୍କରେ ନୁଆ ନିଯୁକ୍ତି ସୃଷ୍ଟି କରି ପଶ୍ଚିମ ଓଡିଶାର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ସ୍ଥାୟୀଭାବେ ନିଯୁକ୍ତି ଦେବା ପାଇଁ ସୂଚନା କର୍ମୀ ପଣ୍ଡା ଦାବୀ କରିଛନ୍ତି ।

Leave A Reply

Your email address will not be published.