ସୁଭଦ୍ରା ଯୋଜନା ଶୁଭାରମ୍ଭ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେବା ପାଇଁ କଳାହାଣ୍ଡି ଜିଲ୍ଲାରୁ ଭୁବନେଶ୍ଵର ଗଲେ ୧୦୦ ଜଣ ଲାଭାରଥି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହେବ । ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଆସନ୍ତା ୧୭ ସେପ୍ଟେମ୍ବରରେ ଲାଭାରଥିମାନଙ୍କୁ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାର ଶୁଭାରମ୍ଭ ପୂର୍ବକ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କଳାହାଣ୍ଡି ଜିଲ୍ଲାର ୧୦୦ ଜଣ ସୁଭଦ୍ରା ଯୋଜନା ଲାଭାରଥିଙ୍କୁ ନେଇ ୨ଟି ବସ ଆଜି ସନ୍ଧ୍ୟାରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି । ଜିଲ୍ଲପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଭେଟି ଯାତ୍ରାର ସଫଳ କାମନା କରି ଶୁଭେଚ୍ଛା ଜଣାଇଥିଲେ ଏବଂ ଯାତ୍ରୀଙ୍କୁ ନେଇଯାଇଥିବା ୨ ଟି ବସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଏ.ପି.ଡି. ବିମ୍ବାଧର ସାହୁ, ଡି.ପି.ସି ଅମୃତ ପାଢୀ, ସି.ଡି.ପି.ଓ ସଦର ନିୟତି ବାଳା ସୋରେନ ପ୍ରମୁଖ ଯୋଗଦେଇ ଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଯାତ୍ରୀଙ୍କ ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସହିତ ଏସ୍କର୍ଟସ ଅଫିସର ଭାବେ ଏ.ପି.ଡି ବିମ୍ବାଧର ସାହୁ ନିଯୋଜିତ ଥିବାବେଳେ ଯାତ୍ରୀଙ୍କୁ ସହଯୋଗ କରିବା ପାଇଁ ସଦର ସି.ଡି.ପି.ଓ ନିୟତି ବାଳା ସୋରେନ, କେସିଙ୍ଗା ଡି.ପି.ସି ସବିତା ସେଠି ରହିଛନ୍ତି ।

Leave A Reply

Your email address will not be published.