ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଂସ୍କୃତି ଭବନ ସଭା ଗୃହରେ ଆଜି ସହରର ସ୍ୱଳ୍ପ ସଂଚୟ ଜମାକାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଚୟ ଓ ଆର୍ଥିକ ସେବା ବିଭାଗ ଦ୍ୱାରା ଆୟୋଜିତ ଏହି ଶିବିରରେ ବଲାଙ୍ଗିର ସଂଚୟ ଓ ଆର୍ଥିକ ସେବା ସ୍ୱତନ୍ତ୍ର କାର୍ଯ୍ୟରତ ସହ-ନିର୍ଦ୍ଧେଶକ ବିଜୟ କୁମାର ଶତପଥୀ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭ ସଂସ୍କୃତି ଭବନ ପରିସରରେ ଏକ ଅଁଳା ବୃକ୍ଷରୋପଣରୁ ହୋଇଥିଲା । ଉକ୍ତ ଶିବିରରେ ବଲାଙ୍ଗିର ସାଇବର ଅପରାଧ ଓ ଅର୍ଥନୈତିକ ଅବରୋଧ ପିଏସ୍‌ର ଥାନା ଅଧିକାରୀ ଶ୍ରୀମତୀ ଭାରତୀ ନାୟକ ବିଭନ୍ନ କିସମର ସାଇବର ଠକାମୀ ଉପରେ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ସଚେତନ କରାଇଥିଲେ । ମୁଖ୍ୟ ଡାକଘରର ବାଣିଜ୍ୟ ଅଧିକାରୀ ମହେଶ୍ୱର ସେନାପତି, ପି.ଏଲ୍‌. ଆଇ ଉନ୍ନୟନ ଅଧିକାରୀ ଅଭିଳାଷ ପଣ୍ଡା, ଭାରତୀୟ ଷ୍ଟେଟ ବ୍ୟାଙ୍କର ଆର୍ଥିକ ସାକ୍ଷରତା ପରାମର୍ଶଦାତା ଗୋପବନ୍ଧୁ ଜଗଦଳ, ପି. ଏଲ୍‌. ଆଇ ଅବସରପ୍ରାପ୍ତ ବାଣିଜ୍ୟ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ରସରାଜ ଅଚ୍ୟୁତ ପୁରୋହିତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆୟୋଜିତ ଶିବିରରେ ମଂଚାସୀନ ଅଧିକାରୀ ବୃନ୍ଦ ଏକ ସୁରକ୍ଷିତ ଭବିଷ୍ୟତ ପାଇଁ ସୁରକ୍ଷିତ ସଂଚୟର ଆବଶ୍ୟକତା, ବିଭିନ୍ନ ସୁରକ୍ଷିତ ସଂଚୟ /ବୀମା ଯୋଜନା, ଆର୍ଥିକ ଠକାମୀ, ଆର୍ଥିକ ସାଇବର ଠକାମୀ ଓ ଡିଜିଟାଲ ନେଣଦେଣ ଉପରେ ଆଲୋକପାତ କରି ସୁରକ୍ଷିତ ଭବିଷ୍ୟତ ପାଇଁ ସୁରକ୍ଷିତ ସଂଚୟ କରିବା ପାଇଁ ଶ୍ରୋତାମାନଙ୍କୁ ପ୍ରବର୍ତ୍ତାଇଥିଲେ । ଶିବିରରେ ଉପସ୍ଥିତ ସଦ୍ୟସମାନେ ନିଜର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ ହେବାପାଇଁ ମତ ଦେଇଥିଲେ । ଆୟୋଜିତ ଶିବିରରେ ବଲାଙ୍ଗିର ସହରର ପ୍ରାୟ ୧୦୦ରୁ ଅଧିକ ଜମାକାରୀ ଓ ଚାଳିଶରୁ ଅଧିକ ସ୍ୱଳ୍ପ ସଂଚୟ ଅଭିକର୍ତ୍ତା ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ଏକ ସ୍ୱତନ୍ତ୍ର ପାରସ୍ପରିକ ଆଲୋଚନା ହୋଇଥିଲା । ଉପସ୍ଥିତ ଜମାକାରୀମାନେ ସ୍ୱଳ୍ପ ସଂଚୟ ଅଭିକର୍ତ୍ତାମାନଙ୍କ ସେବାରେ ସନ୍ତୁଷ୍ଟି ପ୍ରକାଶ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସାଂଗ ହୋଇଥିଲା ।

Leave A Reply

Your email address will not be published.