ପରବାସୀ କୁଟୁମ୍‌ର ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପଡ଼ା ଗ୍ରାମରେ ପରବାସୀ କୁଟୁମ୍‌ର ୧୦ମ ନୂଆଁଖାଇ ଭେଟ୍‌ଘାଟ୍‌ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି, ସାହିତ୍ୟିକ, ବୁଦ୍ଧିଜୀବୀ ପ୍ରମୁଖ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । ଗ୍ରାମ୍ୟ ଦେବୀ ଓ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ଭେଟ୍‌ଘାଟ୍‌ ସଭା ଆରମ୍ଭ ହୋଇଥିଲା । ପରିଷଦର ସଭାପତି କପିଲେଶ୍ୱର ଖମାରୀଙ୍କ ପୌରୋହିତ୍ୟର ଆୟୋଜିତ ସଭାରେ ସମ୍ପାଦକ ସଚ୍ଚିଦାନନ୍ଦ ପଧାନ ଓ ଉପଦେଷ୍ଟା ନାଟ୍ୟକାର ମୋହନ ସିଂହ କହ୍ନେଇ ମଞ୍ଚାସୀନ ଥିଲେ । ଆଲୋଚକ ଭାବରେ ବଲାଙ୍ଗିର କୋଶଳ ପ୍ରବାହର ସମ୍ପାଦକ ତଥା କବି ଆନନ୍ଦ ଚନ୍ଦ୍ର ସାହୁ ‘ସମ୍ବଲପୁରୀ କୋଶଲି ଭାଷାର ଗତି ଓ ସ୍ଥିତି’ ଏବଂ ଆଇଆଇଏମ୍ ପ୍ରଫେସର ସୁଜିତ କୁମାର ପୃଷେଠ ‘ହଜି ବସୁଥିବାର ସଂସ୍କୃତି ଓ ଆମେ’ ଶୀର୍ଷକରେ ଆଲୋଚନା କରିଥିଲେ । ବରଗଡର ସାହିତ୍ୟିକ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପରବାସୀ ସାହିତ୍ୟ ସମ୍ମାନ, ବଲାଙ୍ଗିରର କଳାକାର ନିଶାର ଅହମ୍ମଦଙ୍କୁ ସଂସ୍କୃତି ସମ୍ମାନ ଓ କଳାହାଣ୍ଡିର ଯୁବ ଗବେଷକ ରଜତରାଜ ପାଣିଗ୍ରାହୀଙ୍କୁ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ଗ୍ରାମର ସମାଜସେବୀ ଆନନ୍ଦ ଚନ୍ଦ୍ର ମେହେର, କଳାକାର ମୀନକେତନ ମେହେରଙ୍କୁ ସମ୍ବର୍ଦ୍ଧନା ଓ ଦିବଂଗତ ଶିକ୍ଷବିତ ରାଘୁବୀର ଦେବତାଙ୍କୁ ମରଣତ୍ତର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉମାକାନ୍ତ ଭୋଇଙ୍କ ପ୍ରବନ୍ଧ ପୁସ୍ତକ ହୀରାକୁଦ ବନ୍ଧା ଓ ଓଜସ୍ଵିନି ମାହାରଙ୍କ ଉପନ୍ୟାସ ଜବାବ ଉନ୍ମୋଚିତ ହୋଇଥିଲା । ସାହିତ୍ୟିକ ଗୌରିଦାଶ ଓ ପଧାନ, ତେଜରୁ ବାରିକ, ଅଧ୍ୟାପକ ଜୟଦେବ ସାହୁ, ସୁକୁମାର ଭୋଇ, ଗୌରଚରଣ ପଧାନ, ଡ. ସୁବାସ ମେହେରଙ୍କ ସମେତ ବହୁ ସାହିତ୍ୟିକ ମାନେ ଯୋଗଦାନ କରିଥିଲେ । ଏହାପରେ କବୟିତ୍ରୀ ସଂଗୀତା ପଣ୍ଡା ଷଡ଼ଙ୍ଗୀ ଓ କବି ରଞ୍ଜିତ ପାଧାନଙ୍କ ଅଧ୍ୟକ୍ଷତାରେ ଦୁଇ ପୃଥକ୍ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କବି ସଚ୍ଚିଦାନନ୍ଦ ପଣ୍ଡା, ନୀତିଶ ଆଚାର୍ଯ୍ୟ, ଅଧିକାରୀ ସା, ଗୁଣ ସାଗର ସାହୁ, ହରିଲାଲ ସାହୁ, ରାମପ୍ରସାଦ ବାଗ, ମୁନିରାମ କୁମ୍ଭାର, ମନୋରଞ୍ଜନ ଲୁହା, ଭରତ ନାୟକଙ୍କ ସମେତ ବହୁ ସଂଖ୍ୟାରେ କବିମାନେ କବିତା ଆବୃତ୍ତି କରିଥିଲେ । ଅଧ୍ୟାପକ ସୁଶାନ୍ତ ମିଶ୍ର, ଉମାକାନ୍ତ ଭୋଇ, ମନୀଷ ମହାପାତ୍ର, ଶେଷଦେବ ମେହେର, ମାନିନୀ ମେହେର, ଆରତୀ ସାହୁ, ଓଜଶ୍ଵିନୀ ମାହାର ପ୍ରମୁଖ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରବାସୀ କୁଟୁମ୍‌ ଓ ପଡ଼ା ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟ୍ୟକାର ସୁବାସ ପଧାନଙ୍କ ରଚିତ ନିର୍ଦ୍ଦେଶିତ ନାଟକ ଲାଲ ପାଏନକୁ ମିରର ଥିଏଟର ବେଲପାହାଡ଼ର କଳାକାର ମାନେ ପରିବେଷଣ କରିଥିଲେ ।

Leave A Reply

Your email address will not be published.