ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବିଧବା ବୋହୁର ଧାରଣା

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅବସରପ୍ରାପ୍ତ ଶିକ୍ଷକ କାମରାଜୂ ସ୍ୱାଇଁଙ୍କ ଘର ଆଗରେ ୨ ଦିନ ଧରି ନ୍ୟାୟ ଦାବି କରି ଘର ଆଗରେ ଧାରଣାରେ ବସିଛନ୍ତି ବିଧବା ବୋହୁ ଚିତ୍ରଲେଖା ସ୍ୱାଇଁ । ଚିତ୍ରଲେଖାଙ୍କ ସ୍ୱାମୀ ଭାସ୍କର ସ୍ୱାଇଁ ଗତ ୨୦୧୧ ମସିହାରେ ମୃତ୍ୟୁବରଣ କରିଥିଲେ । ଏହାର କିଛି ଦିନ ପରେ ଚିତ୍ରଲେଖା ଲାଞ୍ଜିଗଡ ସ୍ଥିତ ନିଜ ବାପଘରକୁ ନିଜର ୧୪ ଦିନର ଝିଅକୁ ନେଇ ଚାଲି ଯାଇଥିଲେ । ଏହାର କିଛି ଦିନ ପରେ ବୋହୁ ନିଜ ଅଧିକାର ଦାବି କରି ଲାଞ୍ଜିଗଡ଼, ଗାଙ୍ଗପୁର ଓ ମୁନିଗୁଡା ଥାନାର ଦ୍ୱାରସ୍ଥ ହୋଇଥିଲେ । ମୁନିଗୁଡା ଥାନାରେ ଘରର ମୂଲ୍ୟାୟନ ହୋଇ ୧୫ ଲକ୍ଷ ବୋହୂକୁ ଦେବାକୁ ଶ୍ୱଶୁର କାମରାଜୂ ସ୍ୱାଇଁଙ୍କୁ କୁହାଯାଇଥିଲା । ଯେଉଁଥିପାଇଁ କାମରାଜୂ ସ୍ୱାଇଁ ଥାନା ତରଫରୁ ହୋଇଥିବା ସମସ୍ତ ଆଲୋଚନାରେ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ବୋହୁ ଚିତ୍ରଲେଖା ନିଜ ଜିଦରେ ଅଟଳ ରହି ଏହାକୁ ସହଯୋଗ କରିନଥିଲେ । ଇତି ମଧ୍ୟରେ ଦୀର୍ଘ ବର୍ଷ ବିତି ଯାଇଥିବା ବେଳେ ଗତ ୨ ଦିନ ହେବ ବୋହୁ କାମରାଜୁଙ୍କ ଘର ଆଗରେ ଧାରଣା ଦେଇ ପୁଣି ଅଧିକାର ଦାବି କରିବା ସହ ଘରେ ରହିବାକୁ ଦାବି କରୁଛନ୍ତି । ଅନ୍ୟପଟେ ବିଗତ ଦିନରେ ବୋହୁ ମୋତେ ବିଭିନ୍ନ ପ୍ରକାରର ଅପଦସ୍ତ ଓ ବଦନାମ କରି ଦେଇଥିବାରୁ ବୋହୂକୁ ଘରେ ନ ରଖିବାକୁ ଜିଦ ଧରିବା ସହ ସମସ୍ତ ନିୟମ ଅନୁଯାୟୀ ସମ୍ପତ୍ତି ଦେବାକୁ ରାଜି ଥିବା କହିଛନ୍ତି ଶ୍ୱଶୁର କାମରାଜୂ ସ୍ୱାଇଁ । ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ଦୀର୍ଘ ବର୍ଷ ଧରି ନିଜ ବାପ ଘରେ ରହୁଥିବା ଚିତ୍ରଲେଖା କାହିଁକି ଏବେ ହଠାତ୍‌ ଶଶୁର ଘର ଆଗରେ ୨ ଦିନ ହେଲା ଧାରଣାରେ ବସି ରହି ଘରେ ରହିବାକୁ ଦାବି କରୁଛନ୍ତି ତାହାକୁ ନେଇ ଏବେ ସାଧାରଣରେ ଆଲୋଚନା ଜୋର ଧରିଛି । ବହୁର ଏପରି ଘର ସମ୍ମୁଖରେ ଧାରଣାକୁ ନେଇ ଶ୍ୱଶୁର କାମରାଜୁ ସ୍ୱାଇଁ ମୁନିଗୁଡା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତିକରି ପୋଲିସ ବୋହୁ ଚିତ୍ରଲେଖାକୁ ଥାନାକୁ ଡକାଇଥିଲେ । ବୋହୁ ଚିତ୍ରଲେଖା ଥାନା ଯିବାକୁ ସିଧାସଳଖ ମନା କରିଦେଇଥିବା ଜଣାପଡିଛି । ଏହି ଘଟଣା ସମ୍ପର୍କରେ ମୁନିଗୁଡା ଥାନା ଅଧିକାରୀ ସୌଦାମିନୀ ବେହେରାଙ୍କୁ ପଚାରି ବୁଝିବାରୁ ଏହି ବିଷୟଟି ସିଭିଲ କେଶରେ ଯାଉଥିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.