ଦେବଭୂମିର ପୁରସ୍କାର ବିତରଣ ଓ ଭଜନ ସନ୍ଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ଜନ୍ମାଷ୍ଟମୀ ପାଳନ ଅବସରରେ ଦେବଭୂମି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଭଞ୍ଜ ଭବନ ଅଡିଟୋରିଅମ୍‌ ହଲ୍‌ ଠାରେ ରଘୁନାଥପାଲ୍ଲୀର ପୂର୍ବତନ ବିଧାୟକ ତଥା ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ପୁରସ୍କାର ବିତରଣୀ ଉତ୍ସବ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଓଡିଶାର ପ୍ରତିଷ୍ଠିତ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନୀୟ ଅତିଥି ଭାବେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି, ସ୍ୱତନ୍ତ୍ର ଅତିଥି ଭାବେ ସିନେ ଅଭିନେତା ବବି ମିଶ୍ର ଓ ଭଜନ ଗାୟକ ଶ୍ରୀଚରଣ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କୃଷ୍ଣଙ୍କ ଲୀଳାଖେଳାରେ ସୁସଂଜତ ସାମାଜିକ ଜୀବନ, ଶୃଙ୍ଖଳିତ ଆଚରଣ, ଆଚରଣ ଓ ଉଚ୍ଚାରଣର ସମନ୍ୱୟ, ଭାଇଚାରା, ସୈାହାର୍ଦ୍ଧପୂର୍ଣ୍ଣ ବାତାବରଣ ଉପରେ ଆଲୋଚନା ସହ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଭଗବତ୍ ଗୀତା ଓ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ହୋଇଥିବା ଆବୃତ୍ତି ଓ ତତ୍ୱ ଉପରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୩୦ ହଜାର ନଗଦ ଅର୍ଥ, ତୀୟଙ୍କୁ ନଗଦ ୨୦ ହଜାର, ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗିଙ୍କୁ ନଗଦ ୧୫ ହଜାର ଓ ସାନ୍ତ୍ଵନା ମୂଳକ ଭାବେ ୧୧ ଜଣ ପ୍ରତିଯୋଗିଙ୍କୁ ନଗଦ ୫ ହଜାର ଟଙ୍କା ପୁରସ୍କାର ସହ ପ୍ରମାଣ ପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ସୁଶ୍ରୀ ଜ୍ୟୋସ୍ନାରାଣୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀଚରଣ ମହାନ୍ତି ଓ ରାଉରକେଲାର ଗୀତିକାର ମାନେ ଭଜନ ପରିବେଷଣ କରିଥିଲେ । ପରିଚାଳନା ଟ୍ରଷ୍ଟି ଶ୍ରୀ ତରାଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ, ସାମ୍ପ୍ରତିକ ପରିସ୍ଥିତି ସମସ୍ତଙ୍କ ମଧ୍ୟରେ ଭଗବତ୍ ଚେତନା ହିଁ ଶୃଙ୍ଖଳିତ କରିପାରିବ । ଏହା ସହ ଆଗାମୀ ଦିନରେ ଆମର ଐତିହ୍ୟ, ପରମ୍ପରା ଓ ଆଧ୍ୟାତ୍ମିକ ଜୀବନ ଲୋକାଭିମୁଖୀ ହୋଇପାରିବ । ଅନୁଷ୍ଠାନର ଅନ୍ୟ ଟ୍ରଷ୍ଟିଙ୍କ ମଧ୍ୟରେ ରାଧାକାନ୍ତ ମହାପାତ୍ର, ଅନୁପମ ରାୟ, ସାଗରିକା କର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରମାକାନ୍ତ ରଥ, ଏ. କେ. ଜେନା, ସୁଶାନ୍ତ ପ୍ରଧାନଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.