ରାସ୍ତାରେ ଲହଡି ମାରୁଛି ପାଣି

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ଖଡିଆଳ ଏନ୍‌ଏସି ବାଇପାସ୍‌ ରାସ୍ତାଟି ଡ୍ରେନ୍‌ର ଅଭାବ ଯୋଗୁଁ ତାହା କୁତ୍ରିମ ବନ୍ୟା ଭଳି ପରିସ୍ଥିତି ଦେଖାଦେଇଛି । ୱାର୍ଡ ନମ୍ବର ପାଞ୍ଚ କବରସ୍ଥାନ ସହ ସାହୁପଡାକୁ ଯାଇଥିବା ବାଇପାସ୍‌ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ଲହରି ମାରୁଛି । ଏହି ଆଣ୍ଠୁଏ ପାଣି ଦେଇ ଦୁଇ ଚକିଆ ଯାନବାହାନ ଠାରୁ ନେଇ ଚାରି ଚକିଆ ଶହ ଶହ ଯାନବାହାନ ଦୈନନ୍ଦିନ ଯିବା ଆସିବା କରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି, ଅନେକ ବାଇକ୍‌ ଆରୋହି ଏହି ପାଣି ଉପରେ ଯିବା ଆସିବା କରୁଥିବା ସମୟରେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି । ସବୁ ଠାରୁ ଦୁଖର ବିଷୟ ଏହି ସାହୁ ପଡା ରାସ୍ତା ଉପରେ ରହୁଥିବା ଲୋକଙ୍କ ଘରେ ଦୁଷିତ ପାଣି ପଶୁଥିବାବେଳେ ସାପ ସରିସପ ପଶୁଥିବାରୁ ଜୀବନ ପ୍ରତି ଭୟ ରହୁଛି । ୫ ଦିନ ଧରି ରାସ୍ତା ଉପରେ ପାଣି ଜମା ରହୁଥିବାରୁ ଅତ୍ୟନ୍ତ ଦୁର୍ଗନ୍ଦ ହେଉଛି, ପାଣି ନିୟମିତ ଜମା ରହିଥିବାରୁ ଅନେକ ଘରର ଲୋକମାନେ ଜଳବନ୍ଦି ଭଳି ଜୀବନ ଅତିବାହିତ କରୁଛନ୍ତି । ବର୍ଷା ମାସ ଆସିଲେ ପ୍ରତିବର୍ଷ ଏହି ସମସ୍ୟା ଲାଗି ରହୁଛି, ଖଡିଆଳ ଏନ୍‌ଏସି ଡ୍ରେନ୍‌ ତିଆରି ପାଇଁ ଆବଶ୍ୟକ ଫଣ୍ଡ ନଥିବାରୁ ସମସ୍ୟାର ସମାଧାନ ହେଉ ନାହି ବୋଲି ଏନ୍‌ଏସି ଅଧ୍ୟକ୍ଷ କହୁଛନ୍ତି । ଅନ୍ୟ ପଟେ ସହରର ମଇଳା ପାଣି ସହ ବର୍ଜବସ୍ତୁ ଚାଷ ଜମିରେ ଜମା ହେଉଥିବାରୁ ସ୍ଥାନୀୟ ଜଣେ ଚାଷୀ ମଇଲା ପାଣି ରାସ୍ତାକୁ ବନ୍ଦ କରିଦେଇଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ମଇଲା ପାଣି ଯୋଗୁଁ ସମସ୍ୟା ଘେରରେ ରହୁଥିବା ଲୋକମାନେ ତୁରନ୍ତ ଏହାର ସମାଧାନ ନହେଲେ ରାସ୍ତା ରୋକ୍‌ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.