ଛାତ୍ରଛାତ୍ରୀଙ୍କ ଆଡ୍‌ମିସନ୍‌ ଟଙ୍କା ଠକେଇ ଅଭିଯୋଗରେ ଜେଲ୍‌ ଗଲେ ଅବିନାଶ ସାହୁ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦିନକୁ ଦିନ ଲୋକଙ୍କ ସୁବିଧା ନିମନ୍ତେ ଡିଜିଟାଲ୍‌ ଭାରତ ଅଧୀନରେ ବିଭିନ୍ନ କାର୍ଯ୍ୟ ସବୁ ଅନ୍‌ଲାଇନ ମାଧ୍ୟମରେ ହେଉଛି । ଆର୍ଥିକ କାରବାର ହେଉ କି ପାଠପଢ଼ା ପାଇଁ କୌଣସି ଫି’ ଦେବାକୁ ହେଉ, ଆଜିକାଲି ସବୁ ଡିଜିଟାଲ । ତେବେ ଏହି ସୁବିଧାରେ ମଧ୍ୟ ବାଧକ ସାଜିଛନ୍ତି ଠକମାନେ । କେଉଁଠି କେମିତି ଜବର୍‌ଦସ୍ତ ଠକେଇର ଶିକାର ହୋଇଛନ୍ତି କଲେଜ ଛାତ୍ରଛାତ୍ରୀ । ଏହିପରି ଏକ ଘଟଣା ଘଟାଇ ଜେଲ୍‌ ଯାଇଛନ୍ତି ଟିଟିଲାଗଡ଼ ଡିଏଭି କଲେଜ ସମ୍ମୁଖରେ ଥିବା ଏକ ଅନ୍‌ଲାଇନ୍‌ କମ୍ପ୍ୟୁଟର ସେଣ୍ଟରର ମାଲିକ ଅବିନାଶ ସାହୁ । ସୁଚନା ଅନୁଯାୟୀ ଡିଏଭି ମହାବିଦ୍ୟାଳୟର ଯୁକ୍ତ ୨ ଓ ଯୁକ୍ତ ୩ ବିଭାଗର ଛାତ୍ରଛାତ୍ରୀ ମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଯିଏ ଯାହାର ଫି ବାନ୍ଧିବା ପାଇଁ ଟଙ୍କା ଦେଇଥିଲେ ଦୋକାନୀଙ୍କୁ । ତେବେ କିଛି ଦିନର ବ୍ୟବଧାନ ପରେ କଲେଜ କତୃପକ୍ଷ ଫି ଭରି ନଥିବା ନୋଟିସ୍‌ ଦେବା ପରେ ଛାତ୍ରଛାତ୍ରୀ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏହା ଜାଣି ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କଲାପରେ ଘଟଣାର ସତ୍ୟତା ବାହାରିଥିଲା । ନୂତନ ଥାନାଧିକାରୀ ବିଶ୍ୱଜିତ ମନବୋଧ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ଅବିନାଶ ସାହୁ ଠକେଇ କରି ୫୦ ଜଣ ଛାତ୍ରଛାତ୍ରୀ ମାନଙ୍କ ଠାରୁ ପାଖାପାଖି ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଜଣାପଡ଼ିଥିଲା । ଏନେଇ ରବିବାର ସଂଧ୍ୟାରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରି ଅଭିଯୁକ୍ତ ଅବିନାଶ ସାହୁକୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାରଙ୍କ ସହ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ । ତେବେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଟଙ୍କା ନେବା ବେଳକୁ ଅବିନାଶ ସାହୁ ଫି ରସିଦ ଦେଇଥିଲେ କି ? ଯଦି ଦେଇଥିଲେ ତାହା ନକଲି ନିଶ୍ଚୟ ହୋଇଥିବ, ଏ ବିଷୟରେ ତଦନ୍ତ କଲେ ଏହି ଠକେଇରେ ଆଉ କିଏ କିଏ ସାମିଲ୍‌ ଅଛନ୍ତି, ଏହାର ରହସ୍ୟ ଉନ୍‌ମୋଚନ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକମାନେ ଚର୍ଚ୍ଚା କରୁଛନ୍ତି ।

Leave A Reply

Your email address will not be published.