ଉତ୍ତମ ପ୍ରଦର୍ଶନ ନିମନ୍ତେ ପୁଇଁତଲା ପ୍ରଗତି ଏଫପିଓ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୃଷି ଏବଂ କୃଷକଙ୍କ ପାଇଁ ସମର୍ପିତ ପୁଇଁତଲା ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ । ଆଜି ଭୁବନେଶ୍ୱର ସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି)ର ୬୩ତମ ସମାବର୍ତ୍ତନ ଉତ୍ସବ ପାଳନ ଅବସରରେ ମୋହନ ଚରଣ ମାଝି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ପୁଇଁତଲା ଏଫପିଓକୁ ସମ୍ମାନିତ କରିଛନ୍ତି । ପୁଇଁତଲା ପ୍ରଗତି ଏଫପିଓ ତରଫରୁ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ପ୍ରଧାନ ମାନପତ୍ର ଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ନାବାର୍ଡ ଏବଂ ମହାଶକ୍ତି ଫାଉଣ୍ଡେସନ୍‌ ଦ୍ୱାରା ଗଠିତ ୧୧ ଗୋଟି କୃଷକ ଉତ୍ପାଦକ କମ୍ପାନୀ ମଧ୍ୟରେ ପୁଇଁତଲା ପ୍ରଗତି ଏଫପିଓ ଅନ୍ୟତମ । ଡିସେମ୍ବର ୨୦୨୨ରେ ଗଠିତ ଏହି କୃଷକ ଉତ୍ପାଦକ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୭୫୧ ଅଂଶୀଦାର କୃଷକଙ୍କୁ ନେଇ କାମ କରୁଛି । ସମ୍ପ୍ରତି ଏହି କୃଷକ ଉତ୍ପାଦକ କମ୍ପାନୀ ଡାଲି ଜାତୀୟ ଫସଲ, ତୈଳବୀଜ, ପନିପରିବା, ଧାନ ମଞ୍ଜି ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିକ୍ରୟ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । କୃଷକ ମାନଙ୍କୁ ଏକତ୍ରିତ କରାଇ ତାଙ୍କର ଉତ୍ପାଦିତ ସାମଗ୍ରୀକୁ ସଠିକ୍‌ ଦରରେ ବିକ୍ରି କରି ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସମୃଦ୍ଧ କରି ପାରିଛି । ଅଧୁନା କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସ୍ୱରୂପ ଏବେ ଡ୍ରୋନ୍‌ମାଧ୍ୟମରେ ସାର ଏବଂ କୀଟନାଶକ ସିଞ୍ଚନ ପାଇଁ ଚାଷୀମାନଙ୍କୁ ଡ୍ରୋନ୍‌ ସେବା ଯୋଗାଇ ଦିଆଯାଉଛି । ଆଜିର ଏହି ସଫଳତା ପାଇଁ ସବୁଆଡୁ ପୁଇଁତଲା ଏଫପିକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.