ଜନ୍ମ ପୀଠରେ ଗଙ୍ଗାଧର ଜୟନ୍ତୀ

  • କବି ଗଙ୍ଗାଧର ଥିଲେ ସତ୍ୟ, ଶିବ, ସୁନ୍ଦର ଏକ ନିଷ୍ଟ ଉପାସକ

ବରଗଡ, (ନିରୋଜ କୁମାର ପାଣୀ) : କବି ଗଙ୍ଗାଧର ଥିଲେ ସତ୍ୟ ଶିବ ସୁନ୍ଦରର ଏକ ନିଷ୍ଠ ଉପାସକ ତଥା ମାନବବାଦର ଆଦ୍ୟ ପ୍ରବର୍ତ୍ତକ । ତାଙ୍କ କାବ୍ୟ ସମ୍ଭାରରେ ନୈସର୍ଗିକ ଶାଶ୍ଵତ ସତ୍ତାର ଉପଲବ୍ଧି ହୁଏ ବୋଲି ଜନ୍ମ ପୀଠ ବରପାଲିରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଥିଲେ । ସୋମବାର ସନ୍ଧ୍ୟାରେ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ବରପାଲିର ମିଳିତ ଆନୁକୂଲ୍ୟରେ କ୍ଲବର ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ଵତ ସମାରୋହରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମୀର ଯୁଗ୍ମ ସଚିବ ସଞ୍ଜୟ କୁମାର ଛୁଆଳ ସିଂହ ମୁଖ୍ୟ ବକ୍ତା ଭାବରେ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ୱଳନ ପରେ କ୍ଲବର ଚିତ୍ତ ରଞ୍ଜନ ସାହୁ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ । ସହ ସମ୍ପାଦକ ବାଲକିଶୋର୍ ଖାଡଙ୍ଗା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଅଶୋକ ବହିଦାରଙ୍କୁ ହରପ୍ରିୟା ମୁଣ୍ଡ ସ୍ମାରକୀ ଗଙ୍ଗାଧର ସମ୍ମାନ ଓ ସଢେଇକଳା ଖର୍ ସୁଆଁ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ବିଷ୍ଣୁ ପଦ ସିଂହଦେଓଙ୍କୁ ଗଙ୍ଗାଧର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ସମାରୋହରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଓ ଶ୍ୟାମା ସଙ୍ଗୀତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମେହେର ସଙ୍ଗୀତ ଉପରେ ଗଙ୍ଗାଧର ଗୀତି ପରିବେଷଣ କରିଥିଲେ । ଏହି ଅବସରରେ ଚିତ୍ର କୁଟ ମେହେରଙ୍କ ଲିଖିତ ତପସ୍ୱିନୀ କାବ୍ୟର ଗଦ୍ୟ ଲେଖାକୁ ଉନ୍ମୋଚନ କରାଯାଇଥିଲା । ସକାଳ ୮ଟା ସମୟରେ କ୍ଲବ ପରିସରରେ ଥିବା ଗଙ୍ଗାଧରଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ତଥା କବି ଭବନ ଠାରେ ଗଙ୍ଗାଧର ମେହେର କ୍ଲବ ପକ୍ଷରୁ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ କ୍ଲବ ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ, ଉପ ସଭାପତି ନରେନ୍ଦ୍ର କୁମାର ହୋତା, ସମ୍ପାଦକ ଆନନ୍ଦ ମେହେର, ସହ ସମ୍ପାଦକ ବାଲ୍ କିଶୋର ଖାଡଙ୍ଗା, ଧୃବ୍ରରାଜ ମେହେର, ହୃଷୀକେଶ ମେହେର, ସରୋଜ ତ୍ରିପାଠୀ, ବନ୍ତ ରାମ ସେଠ, ବିଭୂତି ଭୂଷଣ ମିଶ୍ର, ଚିତ୍ତରଞ୍ଜନ ସାହୁ, ପଦ୍ମଲୋଚନ ସାହୁ, ଦାମୋଦର ପଣ୍ଡା, ସୁବୋଧ ମହାରଣା ପ୍ରମୁଖ ବହୁ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.