ଭେଣ୍ଡିଆ ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ସିରୋଲ୍‌ ପଂଚାୟତର ପୋଢ଼ଖମ୍‌ ଗାଁର ସତ୍ୟବାନ୍‌ ଦେବଗୁରୁ ଦୀର୍ଘ ୨ ବର୍ଷରୁ ଘରେ ବସିରହିଛନ୍ତି । ସତ୍ୟବାନ୍‌ଙ୍କ ପରିବାର କହିଲେ ସେ ଓ ତାଙ୍କ ବୁଢ଼ୀ ମା’ । ସତ୍ୟବାନ୍‌ଙ୍କୁ ଯେତେବେଳ ୨୮ ବର୍ଷ, ସେତେବେଳେ ସେ ମଧୁମେହ ରୋଗରେ ପୀଡିତ ହେଲେ । ସେହି ଦିନ ଠାରୁ ବାହାର ଦୁନିଆ ଠାରୁ ଦୂରେଇ ଗଲେ ସତ୍ୟବାନ୍‌ । ବସି ରହିଲେ ଘରେ, ଖାଇବା ଠୁ ଆରମ୍ଭ କରି ଗାଧୋଇବା ପର୍ଯ୍ୟନ୍ତ ସମସ୍ତ କାମ ଘରେ ହି କରନ୍ତି । ମଧୁମେହ ରୋଗ ଯୋଗୁଁ ସେ ବାରମ୍ବାର ପରିସ୍ରା ଯାଉଥିବାରୁ ବାହାରକୁ କାମ ଧନ୍ଦା ପାଇଁ ଯାଇ ପାରୁନାହାନ୍ତି ସତ୍ୟବାନ୍‌ । ତାଙ୍କ ମା’ଙ୍କ କହିବା ଅନୁଯାୟୀ ଏକମାତ୍ର ଭେଣ୍ଡିଆ ପୁଅ ରୋଗରେ ପଡ଼ିବା ଠାରୁ ସେ ନିଜେ ମଧ୍ୟ ବାହାରକୁ କାମ ଧନ୍ଦା ପାଇଁ ଯାଇ ପାରୁନାହାନ୍ତି । କେବଳ ସରକାରଙ୍କ ତରଫରୁ ଭତ୍ତା ବାବଦକୁ ମିଳୁଥିବା ହଜାରେ ଟଙ୍କାରେ ଘର ଚଳାଉଛନ୍ତି । ଦୁଇ ଦୁଇ ଥର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବେସରକାରୀ ମେଡିକାଲକୁ ନେଇଥିଲେ ସୁଦ୍ଧା ସୁଫଳ ପାଇପାରିନାହାନ୍ତି । ଟଙ୍କା ନଥିବାରୁ ସେ ଉନ୍ନତ ଚିକିତ୍ସା ପାଇଁ ବାହାରକୁ ଯାଇ ପାରୁନଥିବା କହିଛନ୍ତି ନିଜେ ସତ୍ୟବାନ୍‌ । ସରକାର ସତ୍ୟବାନ୍‌ଙ୍କ ପରିବାରକୁ କିଛି ଆର୍ଥିକ ସାହାଯ୍ୟ କଲେ ସତ୍ୟବାନ୍‌ଙ୍କ ଉନ୍ନତ ଚିକିତ୍ସାଳୟରେ ଚିକିତ୍ସା ହୋଇପାରନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.