୩ଟି ଚୋରି ଘଟଣାର ପର୍‌ଦାଫାସ୍‌ କଲା ପୋଲିସ

ସୁନାବେଡ଼ା/ସେମିଳିଗୁଡ଼ା, (ସୁନାମ ହନ୍ତାଳ) : ଗତ କିଛି ଦିନ ହେବ ସେମିଳିଗୁଡା ଓ ସୁନାବେଡା ସହରର ବିଭିନ୍ନ ଅଂଚଳରେ ହେଉଥିବା ଚୋରିକୁ ନେଇ ସୁନାବେଡା ଥାନାରେ ଏକାଧିକ ଅଭିଯୋଗ ହୋଇଥିଲା । ଏହାକୁ ଗୁରୁତ୍ୱର ସହ ନେଇ ସୁନାବେଡା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉଭୟ ସହରର ବିଭିନ୍ନ ଅଂଚଳରେ ଛାନଭିନ୍‌ ଜାରି ରହିଥିଲା । ଏହି କ୍ରମରେ ଶୁକ୍ରବାର ପୋଲିସ୍‌ ୩ଟି ଚୋରି ଅଭିଯୋଗର ପର୍‌ଦାଫାସ କରିଛି । ସୁନାବେଡା ଥାନା ପରିସରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୁନାବେଡା ଏସଡ଼ିପିଓ ମନୋବ୍ରତା ଶତପଥୀ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ଜୁଲାଇ ୨୦ ତାରିଖରେ ଗୋପବନ୍ଧୁ ନଗର ମା’ ମଙ୍ଗଳା ମନ୍ଦିରରୁ ହୋଇଥିବା ଚୋରିକୁ ନେଇ ମନ୍ଦିର ସମ୍ପାଦକ ବିଶ୍ୱବନ୍ଦନ ସାମଲ ଲିଖିତ ଅଭିଯୋଗ କରିଥିବା ବେଳେ ଚଳିତ ମାସ ୧ ତାରିଖ ସନ୍ଧ୍ୟା ସମୟରେ ସେମିଳିଗୁଡା ଅରବିନ୍ଦ ନଗରରେ ରହୁଥିବା ପ୍ରମୋଦ କୁମାର ପ୍ରଧାନଙ୍କ ଘରୁ ଗଡରେଜ୍‌ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଏବଂ ୭ ତାରିଖରେ ସେମିଳିଗୁଡା ସନ୍ତୋଷୀ ମା’ ମନ୍ଦିର ନିକଟରେ ରହୁଥିବା ବିଶ୍ୱନାଥ ଦିଶାରୀଙ୍କ ଘରୁ ସୁନା ଅଳଙ୍କାର ସହ ଟଙ୍କା ଚୋରିକୁ ନେଇ ଅନ୍ୟ ଏକ ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ସୁନାବେଡା ପୋଲିସ ୩ ଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା । ଉପରୋକ୍ତ ୩ ମାମଲାରେ ସାମିଲ ଥିବା ୫ ଜଣ ନାବାଳକଙ୍କ ସହ ଜଣେ ମହିଳା ସେମିଳିଗୁଡା ତଳସାହିର ସ୍ୱର୍ଗତ ରାଜେଶ ଗୁପ୍ତାଙ୍କ ସ୍ତ୍ରୀ ଜିରା ଗୁପ୍ତା(୪୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମହିଳା ଜଣକ ଜଣେ କବାଡିଆ ହୋଇଥିବାରୁ ଚୋରି ଜିନିଷ ବିକ୍ରି କରିବାରେ ସେମାନଙ୍କୁ ସାହାଯ୍ୟ କରୁଥିଲେ । ଅଭିଯୁକ୍ତଙ୍କ ନିକଟରୁ ୫୦ ହାଜର ନଗଦ ଟଙ୍କା ,୨ ଶହ ଗ୍ରାମ ସୁନା ଅଳଙ୍କାର, ୨ ଶହ ଗ୍ରାମ ରୁପା ଅଳଙ୍କାର , ଗୋଟିଏ ଲାପଟପ ଜବତ କରାଯାଇଛି । ସମସ୍ତ ଜିନିଷର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଏସଡ଼ିପିଓ ଶତପଥୀ କହିଛନ୍ତି । ଚୋରିର ବାରମ୍ବାର ଅଭିଯୋଗ ପରେ ସୁନାବେଡ଼ା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା, ଯେଉଁଥିରେ କିଛି ଗୁପ୍ତଚରଙ୍କୁ ସାମିଲ କରାଯାଇଥିଲା ବୋଲି ସମ୍ମିଳନୀରେ ଏସ୍‌ଡ଼ିପିଓ ଶ୍ରୀମତୀ ଶତପଥୀ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସୁନାବେଡା ଥାନା ଅଧିକାରୀ ଶ୍ରୀ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.