ଶିକ୍ଷା ମୋର ଅଧିକାର କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକର ତିନୋଟି ଶିକ୍ଷାନୁଷ୍ଠାନରେ ବିଏଡୁକ୍ୟାଟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ‘ଶିକ୍ଷା ମୋର ଅଧିକାର’ ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଏବଂ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସହାୟତା ପ୍ରଦାନ କରାଯାଇଥିଲା । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବବଲି ଭୋଇ, ଜ୍ୟୋତିର୍ମୟୀ ସାହୁ, ଜିତେଶ ପ୍ରଧାନ, ଗୌରବ ଝଗରା ଉତ୍ତୀର୍ଣ୍ଣ ହୋଇଥିଲେ । ଏହି କୃତି ଛାତ୍ରଛାତ୍ରୀ ମାନେ ଦୁଇ ବର୍ଷ ର୍ଯ୍ୟର୍ୟ୍ୟନ୍ତ ନିଃଶୁଳ୍କ ଟ୍ୟୁସନ୍‌ ପାଇବା ସାଙ୍ଗେ ସାଙ୍ଗେ ଆର୍ଥିକ ସହାୟତା ମଧ୍ୟ ପାଇବେ । ଏହା ବ୍ୟତୀତ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ଖେଳାଳି ଛାତ୍ରଛାତ୍ରୀ ମାନଙ୍କୁ ଖେଳସାମଗ୍ରୀ ବଣ୍ଟନ କରାଯାଇଥିଲା । ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ୟାମସୁନ୍ଦର ବେହେରା ଯୋଗଦେଇ ସମ୍ମାନିତ ଅତିଥି ରୂପେ ଦୟାନିଧି ସାହୁ, ଦିବ୍ୟକିଶୋର୍ ପଣ୍ଡା, ପ୍ରମୋଦ କୁମାର ସାହୁ, ଚିନ୍ତାମଣି ମିଶ୍ର, ହୃଷୀକେଶ ପୋଡ଼, ସୁମନ୍ତ ସାହୁ, ଅନୁପମା ପ୍ରଧାନ, ଚିନ୍ମୟ ଓରାମ ପ୍ରମୁଖ ଯୋଗ ଦେଇଥିଲେ । ସ୍ଵେଚ୍ଛାସେବୀ ଫଲେନ୍ଦ୍ର ପଟେଲଙ୍କ ସହ ବିଭିନ୍ନ ଅନୁଷ୍ଠାନର କର୍ମଚାରୀ ସହଯୋଗ କରିଥିଲେ । ସ୍ଵେଚ୍ଛାସେବୀ ଦୁର୍ଯ୍ୟୋଧନ ପାଣ୍ଡେଙ୍କୁ ମଧ୍ୟ ‘କମ୍ୟୁନିଟି ହିରୋ’ ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା । ପ୍ରକାଶ ଥାଉକି ବିଏଡୁକ୍ୟାଟ, ଆମେରିକା ସ୍ଥିତ ଏକ ଆନ୍ତର୍ଜାତିକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଯିଏ ସମଗ୍ର ଭାରତର ଅନେକ ରାଜ୍ୟରେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରେ । ଓଡ଼ିଶାରେ ଏହା ପ୍ରଥମ କରି ଝାରବନ୍ଧ ବ୍ଲକରେ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନ ଦ୍ଵାରା ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ବୋଲି ଜନସାଧାରଣ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.