କଳାହାଣ୍ଡିରେ ପୁଣି ଜନନୀ ଯନ୍ତ୍ରଣା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି ସତ । କିନ୍ତୁ ଏବେବି ଯାଇନି ଜନନୀ ଯନ୍ତ୍ରଣା । ପୁଣି ଜନନୀ ଯନ୍ତ୍ରଣା ଦେଖଚବାକୁ ମିଳିଛି । ଗ୍ରାମାଞ୍ଚଳର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୁଛନ୍ତି ମାଳ ମାଳ ଯୋଜନା । ହେଲେ ସେ ସବୁ ଯୋଜନା ବାସ୍ତବରେ ଗ୍ରାମାଞ୍ଚଳରେ ପହଞ୍ଚୁଛି ନା ଯୋଜନା ଯୋଜନା ହୋଇ ରହି ଯାଉଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଥୁଆମୂଳ ରାମପୁର ବ୍ଲକର ଅପହଞ୍ଚ ଇଲାକାରେର ଦେଖିବାକୁ ମିଳିଛି । ସୂଚନାମୁତାବକ, ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତର କୋକେଲ ପଦର ଗ୍ରାମର ଅର୍ଜୁନ ମାଝିଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀଙ୍କୁ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସ କୁ ଫୋନ କରିଥଲେ । ଆମ୍ବୁଲାନ୍ସ ଆସିଲା ସତ ହେଲେ କୋକେଲ ପଦର ଗ୍ରାମକୁ ସବୁଦିନିଆ ରାସ୍ତା ନଥିବାରୁ ବଡ଼ ବଫଲା ନିକଟରେ ଅଟକିଗଲା । ପରିବାର ଲୋକେ ଗର୍ଭବତୀ ଲକ୍ଷ୍ମୀଙ୍କୁ ଏକ ଖଟିଆରେ ବୋହି ପ୍ରାୟ ତିନି କିଲୋମିଟର ଆଣିବାପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ବାଟରେ ଅଡ୍ରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପରବର୍ତ୍ତୀ ସମୟରେ ଉଭୟ ମା ଓ ଶିଶୁଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ବସ୍ଥା ଠିକ ରହିଛି । ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ପରେବି ଗ୍ରାମାଞ୍ଚଳକୁ ଭଲ ରାସ୍ତାଟିଏ ନାହିଁ । କେବେ ଏହି ଅପହଞ୍ଚ ଇଲାକାର ଅଞ୍ଚଳବାସୀ ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧା ପାଇବେ ତାକୁହିଁ ଅଂଚଳବାସୀଙ୍କ ଅପେକ୍ଷା ।

Leave A Reply

Your email address will not be published.