csstore

‘ମା’ ପାଇଁ ଗଛଟିଏ’ ସ୍ଲୋଗାନ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ ସେବା ଶିବିର ଏନ୍‌.ଏସ୍‌.ଏସ୍‌. ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ମା’ ପାଇଁ ଗଛଟିଏ ସ୍ଲୋଗାନ ନେଇ ଜାତୀୟ ସେବା ଯୋଜନା ପିଜି ୟୁନିଟ ପକ୍ଷରୁ ଶନିବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ଛାତ୍ରବାସ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ବୃକ୍ଷରୋପଣ କରି ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ସତ୍ୟସାଇ ସେବା ସଂଗଠନ ସହଯୋଗରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଜାତୀୟ ସେବା ଶିବିର ଯୋଜନାର ସ୍ୱେଚ୍ଛାସେବୀଙ୍କ ସହ ଛାତ୍ରବାସର ଅନ୍ତେବାସୀମାନେ ଭାଗ ନେଇ ନୂତନ ଛାତ୍ରାବାସ ପରିସରରେ ଗଛ ଲଗାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୋଟିଏ ଗୋଟିଏ ଗଛକୁ ପୋଷ୍ୟ ଭାବେ ଗ୍ରହଣ କରି ତା’ ର ରକ୍ଷଣାବେକ୍ଷଣ କରିବା ପାଇଁ କୁଳପତି ଆହ୍ୱାନ ଦେଇଛନ୍ତି । ଏହା ସହ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ବିମାନବନ୍ଦର ସଂପ୍ରସାରଣ ଯୋଗୁଁ ବ୍ୟାପକ ଗଛ କଟାଯାଇଥିବାରୁ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି, ବୋଲି କୁଳପତି ପ୍ରଫେସର ଶ୍ରୀମତୀ ଦାଶ କହିଛନ୍ତି । ଗଛର ସୁରକ୍ଷା ପାଇଁ ପାଚେରୀ ନିର୍ମାଣ କରିବା ଲାଗି ରାଜ୍ୟ ସରକରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୁଳପତି କହିଛନ୍ତି । ଏହା ସହ ପର୍ଯ୍ୟାୟକ୍ରମେ ବିଶ୍ୱବିଦ୍ୟାଳୟ ପରିସରରେ ୫ ହଜାର ବୃକ୍ଷରୋପଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି । ଏନ୍‌.ଏସ୍‌.ଏସ୍‌. କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଙ୍କର୍ଷଣ ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ୱାର୍ଡେନ ପ୍ରଫେସର ସୁଧାକର ପାତ୍ର, ଏନ୍‌.ଏସ୍‌.ଏସ୍‌. ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡା, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଗଣେଷ ସାହୁ, ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଗୋପାଳ ରାଓ, ନୂତନ ଛାତ୍ରବାସର ସୁପରିଟେଣ୍ଡେଣ୍ଟ ଡକ୍ଟର ରଘୁନାଥ ପାତ୍ର, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଡକ୍ଟର ପବିତ୍ର ସିଂ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଇତିଶ୍ରୀ ଗୀତାକୁମାରୀ, ଶକ୍ତିରଞ୍ଜନ ଦାଶ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କରିଥିଲେ ।

jayashree
Leave A Reply

Your email address will not be published.