ମୃତ୍ତିକା ସଂରକ୍ଷଣ ବିଭାଗର ଚେକ୍‌ଡେମ୍‌ ନିର୍ମାଣରେ ଦୁର୍ନୀତିର ଗନ୍ଧ ଅଭିଯୋଗ : ୬ ମାସ ନ ଯାଉଣୁ ଧରାଶାୟୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍ ସୁବର୍ଣ୍ଣଗିରି ପଞ୍ଚାୟତର ପାଜୀକିରି ଓ ସିନ୍ଦିଗୁଡ଼ା ଗ୍ରାମରେ ଦୁର୍ନୀତିର ଗନ୍ଧ ବାରି ହୋଇଛି । ଜଳ ସଂଗୃହୀତ ଓ ମୃତ୍ତିକା ସଂରକ୍ଷଣ ବାବଦକୁ ଆସିଥିବା ୧ କୋଟିରୁ ଅଧିକ ଟଙ୍କା ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ଅପବ୍ୟବହାର କରାଯିବା ସହ ନିମ୍ନମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଦେଖିବାକୁ ମିଳିଛି । ମୃତ୍ତାକା ସଂରକ୍ଷଣ ବିଭାଗ କନିଷ୍ଠ ଯନ୍ତ୍ରୀ ଓ ଏପିଡିଙ୍କ ବିରୋଧରେ ଏଭଳି ଅଭିଯୋଗ ଉଠିଛି । ପାଜୀକିରି ଗ୍ରାମରେ ଚାଷୀମାନଙ୍କ ପାଇଁ ଏକ ଚେକ୍‌ଡେମ୍‌ ନିର୍ମାଣ ହୋଇଥିଲା । ହେଲେ, ୬ ମାସ ନ ଯାଉଣୁ ଏହା ଧରାଶାୟୀ ହୋଇଯାଇଛି । ଠିକ୍ ଭାବରେ କାମ କରାଯାଇଥିଲେ ପାଜୀକରି ଗ୍ରାମର ପନ୍ଦରଟି ପରିବାର ଉପକୃତ ହୋଇଥାନ୍ତେ । ତତ୍ ସହିତ ସିନ୍ଧିଗୁଡ଼ା ଗ୍ରାମରେ ମଧ୍ୟ ସେହି ଏକା ପ୍ରକାର ଅବସ୍ଥା ଦେଖିବାକୁ ମିଳିଛି । ଯେଉଁ ୱାଲରେ ମେଟାଲ୍‌ ଗୋଡ଼ି ଲାଗିବା କଥା ସେଠି ବିନା ଫାଉଣ୍ଡେସନ୍‌ରେ ବଡ଼ପଥର ଦେଇ ନିର୍ମାଣ କରାଯାଇଛି । ନାଳ ମଧ୍ୟ ୧୭ ଶହ ମିଟର କରିବା ପରିବର୍ତ୍ତେ ୧ହଜାର ମିଟର କରାଯାଇଛି । ଫଳରେ, ବଳକା ଅର୍ଥକୁ ଆତ୍ମସାତ କରାଯାଇଥିବା ଜଳଜଳ ଦିଶୁଛି । ଏଣୁ ଏହାର ତଦନ୍ତ ଜରୁରୀ ବୋଲି ଚାଷୀ ମହେନ୍ଦ୍ର ପାଟ୍ଟମାଝୀଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଉପେନ୍ଦ୍ର ପରିଡ଼ାଙ୍କୁ ଯୋଗାଯୋଗ କରିବାରୁ ସେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ କଥାବାର୍ତ୍ତା କରି ସତ୍ୟାସତ୍ୟ ସମ୍ପର୍କରେ ଜାଣି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ଏଭଳି କୋଟଗଡ଼ର ୧୫ଟି ପଂଚାୟତରେ ବର୍ଷ ବର୍ଷ ଧରି ନିମ୍ନମାନର କାମ ଚାଲିଛି । କିନ୍ତୁ, ପ୍ରଶାସନିକ ଉଚ୍ଚାଧିକାରୀଙ୍କ ଦୃଷ୍ଟି ପଡୁନି ବୋଲି ତଳିଆ କର୍ମଚାରୀମାନେ ଏହାର ଫାଇଦା ଉଠାଉଛନ୍ତି । ଏଣୁ, ଏଥିପ୍ରତି ଦୃଷ୍ଟି ଦେଇ ଆଦିବାସୀ ଇଲାକାର ପ୍ରକୃତ ଉନ୍ନତି ସାଧିତ କରାଯାଉ ବୋଲି ଦାବି ହୋଇଛି ।

Leave A Reply

Your email address will not be published.