ବିଧାନସଭାରେ ଉଠିଲା ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ପ୍ରସଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଓଡିଶାର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ବହୁବର୍ଷ ହେଲା ଦାବି ହୋଇଆସୁଛି । ଆଜି ଏହି ପ୍ରସଙ୍ଗରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ବିଧାନସଭାରେ ଏନେଇ ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ବଲାଙ୍ଗିରରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ନେଇ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକସଶକ୍ତିକରଣ ବିଭାଗର ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ରାଜ୍ୟରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ନିମନ୍ତେ ଭାରତସରକାରଙ୍କ ଶିକ୍ଷାନୀତି, ୟୁଜିସିର ନୀତିନୀୟମ ଏବଂ ଶିକ୍ଷାର ପରିମାପକର ନିର୍ଦ୍ଦେଶାବଳୀ(ଡିନସ୍‌ କମିଟି ରିପୋର୍ଟ) ଅନୁସରଣ କରାଯାଏ । ବଲାଙ୍ଗିର ଜିଲ୍ଲାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କୃଷି ବିଜ୍ଞାନ କେନ୍ଦ୍ର(କେଭିକେ) ମାଧ୍ୟମରେ ଜିଲ୍ଲାର ଚାଷୀମାନଙ୍କ ଜମିରେ କ୍ଷେତ୍ର ପରୀକ୍ଷଣ ଓ କ୍ଷେତ୍ରପ୍ରଦର୍ଶନ କରାଯାଇ ଚାଷୀଙ୍କୁ ତାଲିମ ଦିଆଯାଉଛି ଏବଂ ଗୋଟିଏ ଅଗ୍ରୋପଲିଟେକ୍‌ନିକ୍‌ ସେଣ୍ଟର ମଧ୍ୟ କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେହିପରି ବିଧାୟକ କଳିକେଶଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତରରଖି କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାର ୧୪ଗୋଟି ବ୍ଲକ ଓ ୫ଟି ସହରାଞ୍ଚଳରେ ମୋଟ ୪,୨୦,୦୫୯ ପରିବାରର ୧୩,୬୯,୩୯୫ ଜଣ ସଦସ୍ୟଙ୍କୁ ଜାତୀୟଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟିକାର୍ଡ ପ୍ରଦାନ କରାଯାଇଛି । ଏହି ତାଲିକାରୁ ବଞ୍ଚିତ ଥିବା ପରିବାରଙ୍କୁ ସାମିଲ କରିବାକୁ ଜିଲ୍ଲାରେ ୩୭୮ଟି ରାସନ୍‌କାର୍ଡ ପରିଚାଳନା(ଆର୍‌ସିଏମ୍‌ଏସ୍‌) କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇଛି ଯେଉଁଠି ଆବେଦନକାରୀମାନେ ଆବେଦନ କରିପାରିବେ । ଏହା ବ୍ୟତିତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୱେବ୍‌ସାଇଟ୍‌ରେ ମଧ୍ୟ ଆବେଦନ କରାଯାଇ ପରିବ । ଆବେଦନ ଦାଖଲ କଲା ପରେ ଏହାକୁ ୧୨ଟି ସ୍ୱତଃ ଯୋଗଦେବା ମାନଦଣ୍ଡ ଓ ୧୦ଗୋଟି ବାଦଦେବା ମାନଦଣ୍ଡ ଆଧାରରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ବିଭାଗୀୟ ଅଧିକାରୀ ଦ୍ୱାରା ଏହାର ଯାଞ୍ଚ କରାଯିବ । ତେବେ ଏବେ ହିତାଧିକାରୀ ତଥ୍ୟାବଳିକୁ ସ୍ୱଚ୍ଛ କରିବାକୁ ଆଧାର ଭିତ୍ତିକ (ଇକେୱାଇସି) ଯାଞ୍ଚ ଚାଲିଥିବାରୁ ଏହି ପ୍ରକ୍ରୀୟା ସରିଲାପରେ ନୂଆ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇବା ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତର ରଖିଛନ୍ତି । ଠିକ୍‌ ସେହିପରି ବଲାଙ୍ଗିର ଓ ବଲାଙ୍ଗିର ସଦର ବ୍ଲକ ଅଞ୍ଚଳ ପ୍ରାଣୀଧନର ବୀମା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ । ସେଥିରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉତ୍ତର ରଖିକହିଛନ୍ତି ଯେ, ବଲାଙ୍ଗିର ପୌରପାଳିକାରେ ଗାଈଗୋରୁସଂଖ୍ୟା ୧୯୪୨ଟି ଓ ୩,୮୪୦ ଛେଳି, ମେଣ୍ଢା ଓ ଘୁଷୁରୀ ରହିଥିବା ବେଳେ ସେଥିରୁ ମାତ୍ର ୩୫ଟି ଗାଈଗୋରୁ ବୀମାଭୁକ୍ତ ହୋଇଛନ୍ତି । ସେହିପରି ବଲାଙ୍ଗିର ସଦର ବ୍ଲକରେ ୧୮,୫୩୩ଟି ଗାଈଗୋରୁ ଓ ୩୩,୩୨୮ଟି ଛେଳି, ମେଣ୍ଢା ଓ ଘୁଷୁରୀ ଅଛନ୍ତି । ସେଥିରୁ ୨୧୮ଟି ଗାଈଗୋରୁ ଓ ୧୨୨ଟି ଛେଳିମେଣ୍ଢା ବୀମାଭୁକ୍ତ ହୋଇଛନ୍ତି ବୋଲି ଉତ୍ତର ମିଳିଛି ।

Leave A Reply

Your email address will not be published.