csstore

ବଞ୍ଚିବା ପାଇଁ ଗଛଟିଏ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଭେଲୁଆଁପଦର, ଲୁହାଖାନ, ବୁଡାମାଲ, ଗୁଠୁର୍ଲା ଓ ଖଇରପାଲି ପ୍ରଭୃତି ଗ୍ରାମରେ ବଞ୍ଚିବା ପାଇଁ ଗଛଟିଏ ଅଭିଯାନ ଆରମ୍ଭ ହୋଇଯାଇଛି । ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡର ସଂପାଦକ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ଏମ୍‌ବିକେ ଗୀତାଞ୍ଜଳି ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଅଭିଯାନରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଗ୍ରାମରେ ଏମ୍‌ବିକେ ଗୀତାଞ୍ଜଳି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାଗୁଡ଼ିକରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଓ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ବିଶ୍ୱ ଉତ୍ତାପନ ଓ ଜୀବ ଜଗତ ଉପରେ ଏହାର ପ୍ରଭାବ, ବୃକ୍ଷରୋପଣ ଓ ଜଂଗଲ ସଂରକ୍ଷଣ, ଶିଶୁଟିଏ ଗଛଟିଏ ସାରା ଜୀବନର ସାଥୀ ସିଏ, ମା’ ପାଇଁ ଗଛଟିଏ, ବଞ୍ଚିବା ପାଇଁ ଗଛଟିଏ ସଂପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତ୍ୟେକ ଗ୍ରାମରେ ସଭାରେ ଉପସ୍ଥିତ ଗ୍ରାମବାସୀଙ୍କୁ ପଣସ, ଓଉ, ଅଶୋକ ଓ ବଉଳ ଚାରା ପ୍ରଦାନ କରାଯାଇ ନିଜ ନିଜର ବାଡିରେ ଓ ରାସ୍ତା କଡରେ ରୋପଣ ପାଇଁ ପରାମର୍ଶ ଦିଆଯାଇଥିଲା । ବୁଡାମାଲ ଗ୍ରାମ ପଞ୍ଚାୟତର ଗ୍ରାମ ଗୁଡିକରେ କୃଷିମିତ୍ର ପୁଷ୍ପାଞ୍ଜଳୀ ସାହୁ, ଦମୟନ୍ତୀ ମେହେର, ପ୍ରତିମା ମେହେର, ସିଆର୍‌ପିସିଏମ୍ ସାବିତ୍ରୀ ସାହୁ, ଅନୀତା ଗଡତିଆ, ସୁଦେଷ୍ନା କୁମ୍ଭାର, ଡିଲେଶ୍ୱରୀ କୁମ୍ଭାର, ଉକିଆ ଅମରୀ, ଧନମତୀ ଅମରୀ, ଅଷ୍ଟମୀ ମେହେର, ରଶ୍ମିତା ମେହେର, ବିଣାପାଣୀ ସାହୁ, ପ୍ରାଣୀମିତ୍ର ତନୟା ରଣା ଓ ସବିତା ମେହେର ପ୍ରମୁଖ ବଞ୍ଚିବା ପାଇଁ ଗଛଟିଏ ଅଭିଯାନରେ ସକ୍ରିୟ ଅଂଶ ଗ୍ରହଣ କରି ଗ୍ରାମବାସୀଙ୍କୁ ଚାରା ପ୍ରଦାନ ସହିତ ବୃକ୍ଷରୋପଣ କରାଇ ଜୀବଜଗତ ତଥା ଧରିତ୍ରୀ ମାଁର ସୁରକ୍ଷା ନିମିତ୍ତ ଜନସଚେତନତା ସୃଷ୍ଟି କରିଥିଲେ ।

jayashree
Leave A Reply

Your email address will not be published.