shyamal

ବଡସାଇମରାରେ ମନରେଗା ଓ ବିଭିନ୍ନ ସରକାରୀ ଯୋଜନା ଉପରେ ବ୍ଲକସ୍ତରୀୟ ଏକ ଦିବସୀୟ ସମନ୍ଵୟ କର୍ମଶାଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଭୋଇପଡାସ୍ଥିତ ଜନମୁକ୍ତି ଅନୁଷ୍ଠାନ ଆନୁକୁଲ୍ୟରେ ତଥା ଅଜିମ୍ ପ୍ରେମ୍ ଜୀ ଫାଉଣ୍ଡେସନ୍‌ର ସହାୟତାରେ ମୁରିବାହାଲ ବ୍ଲକ ବଡ଼ସାଇମରା ଗ୍ରାମପଞ୍ଚାୟତ ସଭାଗୃହଠାରେ ମନରେଗା ଓ ବିଭିନ୍ନ ସରକାରୀ ଯୋଜନା ଉପରେ ବ୍ଲକସ୍ତରୀୟ ଏକ ଦିବସୀୟ ସମନ୍ଵୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ୍ ପ୍ରଶାସନ ତରଫରୁ ଏ. ପି. ଓ. ବସନ୍ତ ବଳିଆର ସିଂ, ବି. ଆର୍. ସି. ସ୍ଵଚ୍ଛଭାରତ ମିଶନ ଶ୍ରୀକାନ୍ତ ଜେନା, ବଡ଼ସାଇମରା ସରପଞ୍ଚ ଶୁକମଣୀ ପୁଟେଲ, ପି. ଇ. ଓ. ଚନ୍ଦ୍ରିକା ସେଠ୍ ଉପସ୍ଥିତ ଥିବା ବେଳେ ମୁରିବାହାଲ ବ୍ଲକର ୩ଗୋଟି ଦାଦନ ବହୁଳ ଗ୍ରାମ ପଞ୍ଚାୟତ ଯଥା ଗୁଡିଘାଟ, ବଡ଼ସାଇମରା ଓ ଇଛାପଡ଼ାରୁ ଶ୍ରମିକ ସଙ୍ଗଠନମାନଙ୍କର ୪୦ରୁ ଅଧିକ ସଭ୍ୟ / ସଭ୍ୟା ଅଂଶ ଗ୍ରହଣ କରିଥିଲେ । ଏ. ପି. ଓ. ବଲିଆର ସିଂ ବର୍ଷା ଦିନ ପାଇଁ ମନରେଗାରେ ଥିବା ଯୋଜନାଗୁଡିକ ସମ୍ବନ୍ଧରେ ଉପସ୍ଥାପନା କରିଥିବା ବେଳେ ସରପଞ୍ଚ ଶ୍ରୀ ପୁଟେଲ ଦାଦନରୁ ଫେରିଥିବା ଶ୍ରମିକମାନେ ମନରେଗାରେ କାର୍ଯ୍ୟ ଆବେଦନ କରି କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଥିଲେ । ଏହା ସହିତ ବି ଆର୍. ସି. ଶ୍ରୀ ଜେନା ମନରେଗା ଯୋଜନାରେ ସମନ୍ୱୟ ରଖି କିଭଳି ଗାଁ ପରିମଳକୁ ସଫାରଖିବା ସେହି ବିଷୟରେ ଆଲୋକପାତ କରିଥିଲେ । ଏଥିରେ ଅଂଶଗ୍ରହଣକାରୀ ଶ୍ରମିକମାନେ ତାଙ୍କ ସମସ୍ୟା ସବୁକୁ ସଭାରେ ଜଣାଇ ସମାଧାନ ଚାହିଁ ଥିବାବେଳେ କେତେକ ସମସ୍ୟାର ସମାଧାନ ଏପିଓଙ୍କ ଦ୍ଵାରା କରାଯାଇଥିବା ବେଳେ ଆହୁରି କେତେକ ସମସ୍ୟାର ସମାଧାନ ଶୀଘ୍ର କରିବାକୁ ପ୍ରତିଶୃତି ଦେଇଥିଲେ । ଏହା ସହିତ ସରକାରଙ୍କ ଦ୍ଵାରା ପରଚାଳିତ ବିଭିନ୍ନ ପ୍ରକାର ଯୋଜନା ସମ୍ବନ୍ଧରେ ଆଲୋଚନା କରାଯାଇ ସେହି ସବୁର ସୁଯୋଗ ନେବାକୁ ଶ୍ରମିକ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ଅନୁରୋଧ କରାଯାଇଥିଲା । କର୍ମଶାଳାକୁ ଆୟୋଜନ କରିବାରେ ଜନମୁକ୍ତି ଅନୁଷ୍ଠାନର ଲକ୍ଷ୍ମୀଧର ବାଗ, ପ୍ରକାଶ ବନ୍ଦିଛୋର, କିରଣ ଜାଲ, ରଞ୍ଜିତା ହରପାଲ, ମଗଶିର ସାହୁ, ବୈଷ୍ଣବ ମହାନନ୍ଦ ଓ ଲୋଚନ ବାଗ ପ୍ରମୁଖ ସହଯୋଗ କରିଥିଲେ ।

purusottam
Leave A Reply

Your email address will not be published.