
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ଶିଙ୍ଗପାଲି ଗ୍ରାମର ନିକିତା ସୁନା(୧୮) ନାମକ ଜଣେ କଲେଜ ଛାତ୍ରୀଙ୍କ ଘରେ ବିଦ୍ୟୁତ୍ ଆଘାତରେ ଶୋଚନୀୟ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଶିଙ୍ଗପାଲି ଗ୍ରାମର ଜଳନ୍ଧର ସୁନାଙ୍କ ବଡ ଝିଅ ନିକିତା ବୁଧବାର ପୂର୍ବାହ୍ନରେ ଘରେ ରୋଷେଇ କରୁଥିବା ବେଳେ ଓଦା ହାତରେ ହଠାତ ଏକ ଟିଣ କୁଲରର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲେ । ବାପା ମା’ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବାରୁ କାକା ଋକଧର ସୁନା ଗୁରୁତର ଆହତ ନିକିତାଙ୍କୁ ପାଖ ମୁରିବାହାଲ ସିଏଚ୍ସିକୁ ନେଇଥିଲେ । ଦାୟିତ୍ୱରେ ଥିବା ଡ଼ାକ୍ତର ସୁନୀଲ କୁମାର ସ୍ୱାଇଁ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ମୁରିବାହାଲ ଥାନା ପୁଲିସ ହସ୍ପିଟାଲକୁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମୃତ ଛାତ୍ରୀ ନିକିତା ଯୁକ୍ତଦୁଇ ପରୀକ୍ଷାରେ ପାସ ପରେ ଯୁକ୍ତତିନିରେ ନାମ ଲେଖାଇଥିବା ବେଳେ ତାଙ୍କର ଆଉ ଜଣେ ଭାଇ ଓ ଭଉଣୀ ଥିବା ଜଣାପଡିଛି । କାକା ଋକଧରଙ୍କ ଏତଲା ଆଧାରରେ ପୁଲିସ ଥାନାରେ ଅପମୃତ୍ୟୁ କେଶ ନଂ ୧୩/୨୪ ରୁଜୁ କରି ଅଧିକ ତଦନ୍ତ କରୁଥିବା ଜଣାପଡିଛି । ଛାତ୍ରୀଙ୍କ ମୃତ ଶରୀର ଗାଁରେ ପହଞ୍ଚିବା ପରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।