ଅଷ୍ଟ୍ରିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏନା ଠାରେ ଅଷ୍ଟ୍ରିଆ ରାଷ୍ଟ୍ରପତି ମହାମହିମ ମି. ଆଲେକ୍ଜାଣ୍ଡାର ଭନ୍ ଡର୍ ବେଲେନ୍ଙ୍କୁ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି ଭନ୍ ଡର୍ ବେଲେନ୍ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ଥର ଐତିହାସିକ ଦାୟିତ୍ୱ ଗ୍ରହଣ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ଦେଶ ନିଜର କୂଟନୀତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ବେଳେ ତାଙ୍କର ଅଷ୍ଟ୍ରିଆ ଗସ୍ତ ଏହାକୁ ଐତିହାସିକ ଏବଂ ସ୍ୱତନ୍ତ୍ର କରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଉଭୟ ନେତା ପାରସ୍ପରିକ ହିତ ସମ୍ବନ୍ଧୀୟ ଦ୍ୱିପାକ୍ଷିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେମାନେ ପରିବେଶ ସଂରକ୍ଷଣ ଓ ବିଶ୍ୱ ଉତ୍ତାପନ ମୁକାବିଲା ଉପରେ ମତ ବିନିମୟ କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ନେତା ଅକ୍ଷୟ ଶକ୍ତି, ବିଶେଷକରି ସୌର, ଜଳ ଏବଂ ଜୈବ ଇନ୍ଧନ ଭଳି କ୍ଷେତ୍ରରେ ସହଯୋଗର ପାରସ୍ପରିକ ଲାଭଦାୟକ ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ରାଷ୍ଟ୍ରପତି ଭନ୍ ଡର୍ ବେଲେନଙ୍କୁ ତାଙ୍କ ସୁବିଧା ଅନୁସାରେ ଭାରତ ଗସ୍ତ ପାଇଁ ନିମନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ।

Leave A Reply

Your email address will not be published.