jayashree

ମୋ ଝିଅର ତଣ୍ଟି ଚିପିଦେଲେ : ଥାନାରେ ଦ୍ୱାରସ୍ତ ହେଲେ ବାପା

ପୁଇଁତଲା, (କେପିଏନ୍‌ଏସ୍‌) : ମୋର ଜ୍ୱାଇଁ ଓ ତାଙ୍କ ପରିବାର ଲୋକେ ମିଶି ମୋ’ ଝିଅକୁ ମାରିଦେଇଛନ୍ତି ବୋଲି ଆଜି ଥାନାରେ ଅଭିଯୋଗ କରିଛନ୍ତି ଜଣେ ନିରୀହ ବାପା । ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ୍‌ ଅନ୍ତର୍ଗତ କୁଟେନ୍‌ପାଲି କୁଂଜବିହାରୀ କର୍ମୀଙ୍କ ଝିଅ ଶ୍ରୀଦେବୀ କର୍ମୀ ହିନ୍ଦୁ ରୀତିନୀତି ଅନୁସାରେ ଛତାପିପଲ ଗାଁର ଯୋଗୀରାମ ଡାଙ୍ଗଙ୍କୁ ବିବାହ କରିଥିଲେ । ତାଙ୍କ ଦୁଇଟି ସନ୍ତାନ ଥିବା ବେଳେ ବଡ଼ପୁଅକୁ ୧୨ ବର୍ଷ ବୟସ ହେବ । ବାପା କୁଂଜବିହାରୀ କର୍ମୀଙ୍କ କହିବା ଅନୁସାରେ ତାଙ୍କ ଜ୍ୱାଇଁ ଯୋଗୀରାମ ସବୁବେଳେ ମଦ ପିଇ ନାନା ପ୍ରକାର ଅସାମାଜିକ କାମରେ ଲିପ୍ତ ରହୁଥିବା ବେଳେ ଏହାକୁ ତାଙ୍କ ଝିଅ ଶ୍ରୀଦେବୀ ସବୁବେଳେ ବାରଣ କରି ଆସୁଥିଲେ । ଏଥିପାଇଁ ଶ୍ରୀଦେବୀଙ୍କ ଉପରେ ଜ୍ୱାଇଁ ଯୋଗୀରାମ ଏବଂ ତାଙ୍କ ପରିବାର ଲୋକେ ରାଗ ରଖି ଗାଳିଗୁଲଜ, ମାର୍‌ପିଟ୍‌ କରି ଆସୁଥିଲେ । ଆଜି ପୂର୍ବାହ୍ନ ୯ଟାରେ ଯୋଗୀରାମ ଶ୍ରୀଦେବୀକୁ ବିଦ୍ୟୁତ୍‌ ଆଘାତ ଲାଗିଥିବା ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଖବର ଦେବା ପରେ ଶ୍ରୀଦେବୀଙ୍କ ବାପା ଓ ଅନ୍ୟ ପରିବାର ସଦସ୍ୟ ଛତାପିପଲ ଗାଁରେ ପହଂଚିବା ବେଳକୁ ଶ୍ରୀଦେବୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ । ତଥାପି ତୁରନ୍ତ ଆମ୍ବୁଲାନ୍ସ ଡକାଇ ଶ୍ରୀଦେବୀଙ୍କୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ଆଣାଯାଇଥିବା ବେଳେ ଶ୍ରୀଦେବୀ ମୃତ୍ୟୁବରଣ କରି ସାରିଥିବା ଡାକ୍ତର କହିଥିଲେ । ତେବେ ଝିଅ ଶ୍ରୀଦେବୀଙ୍କୁ ତଂଟିଚିପି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳା ଶ୍ରୀଦେବୀଙ୍କ ବାପା ।

Leave A Reply

Your email address will not be published.