ଖୋଲିଲା ନୃସିଂହନାଥ ମନ୍ଦିର : ଦର୍ଶନ କଲେ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନରୁ ବନ୍ଦ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆଜି ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲା ଯାଇଅଛି । ଗତ ୩ ତାରିଖ ଦିନ ଜିଲ୍ଲାପାଳ ବରଗଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ସକାଳ ୮ ଘଣ୍ଟାରୁ ପ୍ରଭୁ ଶ୍ରୀ ନୃସିଂହନାଥଙ୍କ ମନ୍ଦିର ଭକ୍ତମାନଙ୍କ ଦର୍ଶନ ପାଇଁ କୋଭିଡ-୧୯ ନିୟମବଳୀ ପାଳନ ସହିତ ଖୋଲା ଯାଇଅଛି । ଏହି କ୍ରମରେ ଆଜି ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ନୃସିଂହନାଥ ପୀଠରେ ଉପସ୍ଥିତ ରହି ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ତଥା ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିଥିଲେ । ସକାଳ ୮ ଘଣ୍ଟାରୁ ଭକ୍ତ ମାନେ ମାସ୍କ ପରିଧାନ ସହ ଗେଟ୍ ସମ୍ମୁଖରେ ଥର୍ମାଲ ସ୍କାନିଂ ଓ ହାତ ସାନିଟାଇଜ କରି ସାମାଜିକ ଦୂରତା ରକ୍ଷା ପୂର୍ବକ ପ୍ରଭୁ ନୃସିଂହନାଥଙ୍କୁ ଦର୍ଶନ କରିଥିଲେ । ମନ୍ଦିର ଭିତରକୁ ଧୂପ, ଦୀପ, ଫୁଲ ଇତ୍ୟାଦି ନେବା ଉପରେ ବାରଣ କରାଯାଇଛି । ସେହିଭଳି ବିଭିନ୍ନ କୁଣ୍ତ ମାନଙ୍କରେ ସ୍ନାନ କରିବା ପାଇଁ ମଧ୍ୟ ବାରଣ ରହିଛି । ବୟସ୍କ ବ୍ୟକ୍ତି, ଛୋଟ ପିଲା, ଗର୍ଭବତୀ ମହିଳା ଏବଂ ରୋଗାଗ୍ରସ୍ତ ବ୍ୟକ୍ତିମାନଙ୍କୁ କୋଭିଡ ନିୟମ ପାଳନ ସହିତ ମାକ୍ସ ବ୍ୟବହାର, ହାତ ସାନିଟାଇଜ୍, ସାମାଜିକ ଦୂରତା ରକ୍ଷା ଉପରେ ମନ୍ଦିର ପ୍ରଶାସନ ତରଫରୁ ମାଇକ୍ରୋଫୋନ୍ ଯୋଗ ସଚେତନ କରାଯାଉଅଛି । ପୋଲିସ ବାହିନୀ ଏବଂ ସ୍ବେଚ୍ଛାସେବୀ ମାନେ ବିଭିନ୍ନ ସ୍ଥାନରେ ରହି ଭକ୍ତ ମାନଙ୍କୁ ଦର୍ଶନ ବ୍ୟବସ୍ଥାରେ ସାହାଯ୍ୟ କରୁଛନ୍ତି । ଦୀର୍ଘ ଦିନ ପରେ ମନ୍ଦିର ଖୋଳା ଯାଇଥିବାରୁ ନୃସିଂହନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଏହି ଅବସରରେ ପାଇକମାଲ ବିଡିଓ ତଥା ମନ୍ଦିର ଟ୍ରଷ୍ଟ ସୁରେନ୍ଦ୍ର ମେହେର, ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ପାଇକମାଲ ଆଇଆଇସି ବିଶ୍ବଜିତ ମନବୋଧ, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ, ମନ୍ଦିର ପରିଚାଳନା କମିଟିର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.