କ୍ଷୁଦ୍ର ଚଳଚ୍ଚିତ୍ର ‘ବରଗଛ’ର ପ୍ରିମିଅର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱସ୍ତିକ ପ୍ରଡକ୍ସନର କ୍ଷୁଦ୍ର ଚଳଚ୍ଚିତ୍ର ‘ବରଗଛ’ର ପ୍ରିମିଅର ଅନୁଷ୍ଠିତ ହୋଇଯାଇଛି । ବରଗଛର ମହତ୍ୱ ଓ ସହନଶୀଳତାକୁ ଆଧାର କରି ପ୍ରସ୍ତୁତ ହୋଇଛି ଏହି କ୍ଷୁଦ୍ର ଚଳଚ୍ଚିତ୍ର । ଚଳଚ୍ଚିତ୍ରଟି କ୍ଷୁଦ୍ର ହୋଇପାରେ, କିନ୍ତୁ ଏହାର ଦିଗ୍‌ଦର୍ଶନ ଖୁବ୍‌ ବୃହତ୍‌ ବୋଲି କୁହାଯାଇପାରେ । ବରଗଛ ସଦୃଶ ଗୋଟିଏ ପରିବାରର ବୃଦ୍ଧ ମୁଖିଆ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଓ ଆନନ୍ଦ ଦେବା ପାଇଁ ବାରମ୍ବାର କଷ୍ଟ ପାଉଥିଲେ ମଧ୍ୟ, ତାହା ସାଦରେ ସ୍ୱୀକାର କରିଥାଏ । ବେଳେ ବେଳେ ପରିବାର ସଦସ୍ୟମାନଙ୍କ ଦ୍ୱାରା ସେ ଅବହେଳିତ ହେବା ସହ ନିସଂଗ ବି ହୋଇଥାଏ । କିନ୍ତୁ ସେସବୁକୁ ଉଦାର ମାନସିକତାରେ ସହଜରେ ଭୁଲି ଯାଇ ପୁଣି ପରିବାରର ମଙ୍ଗଳ ପାଇଁ ଆପ୍ରାଣ ଉଦ୍ୟମ କରିଥାଏ । ତେବେ ପରିବାର ମୁଖିଆଙ୍କ ମହତ୍ୱପୂର୍ଣ୍ଣ ଭୂମିକାର ଏକ ମହାନ୍‌ ବାର୍ତ୍ତା ଦେଇଛି କ୍ଷୁଦ୍ର ଚଳଚ୍ଚିତ୍ର ‘ବରଗଛ’ ।

ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ହିମାଂଶୁ ଖମାରୀ, ଶଙ୍କରଲାଲ, ନାସିର୍‌ ଖାନ୍‌, ଲୋପନ୍‌ ମିଶ୍ର, ରାଜା, ମୁନା, ମୀନା ଓ ସିଲ୍‌କି ଅଭିନୟ କରିଥିବା ବେଳେ କ୍ୟାମେରା ଦାୟିତ୍ୱ ଗ୍ରହଣ କରିଛନ୍ତି କୀର୍ତ୍ତିଚନ୍ଦ୍ର ଗହୀର । ଚଳଚ୍ଚିତ୍ର ନିର୍ମାତା ମନୋରଂଜନ ଘଡେ଼ଇଙ୍କ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ କୁମାର ଭୋଇ । ସୁରେଶଙ୍କ ନିର୍ଦ୍ଦେଶନାରେ ଏହା ଅଷ୍ଟମ ଚଳଚ୍ଚିତ୍ର ହୋଇଥିବା ବେଳେ ପୂର୍ବରୁ ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ପର୍ଶୁରାମ, ବାଙ୍କୁ, ଯୁଗ୍‌ନୁ ଆଦି ଚଳଚ୍ଚିତ୍ର ବେଶ୍‌ ଚର୍ଚ୍ଚିତ ହୋଇପାରିଛି । ଆଜିର ପ୍ରିମିଅର୍‌ ସୋ’ରେ ମୁଖ୍ୟ ଅତିଥି ଭାବେ କଂଗ୍ରେସ ନଗର ସଭାପତି ବୁଲୁ ଦାନୀ ଯୋଗ ଦେଇଥିଲେ । ଜିଲ୍ଲା ସହକାରୀ ଉଦ୍ୟାନ ଅଧିକାରୀ କେଶବ ଚନ୍ଦ୍ର ମିଶ୍ର ଓ ତୀର୍ଯ୍ୟ ଦାଶ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇ, କଂଗ୍ରେସର ସଂପାଦକ ସଂଜୟ ମିଶ୍ର, କେଶରିଆ ହିନ୍ଦୁ ବାହିନୀର ଜିଲ୍ଲା ସଭାପତି ସନ୍ତୋଷ ଭୋଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ର ଲୋକାର୍ପଣ କରିଥିଲେ । ଆସନ୍ତା ୮ ତାରିଖରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଧିବଦ୍ଧ ଭାବେ ୟୁଟ୍ୟୁବ୍‌ରେ ଲଂଚ୍‌ କରାଯିବାକୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.