ନିରନ୍ତର ଜଳ ଯୋଗାଣ ଦାବୀରେ ଫାସଡ ଠାରେ ଜାତୀୟ ରାଜପଥ ଅବରୋଧ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ସଦର ବ୍ଲକ ତଥା ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ଗ୍ରାମକୁ ଗତ ସପ୍ତାହେରୁ ଅଧିକ ସମୟ ହେଲା ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ପ୍ରାୟ ଅଢେ଼ଇ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଫାସଡ଼ ଗ୍ରାମକୁ ସ୍ଥାନୀୟ ସୁକତେଲ ନଦୀରୁ ପାଇପ ଯୋଗେ ପିଇବା ପାଣି ଆସିଥାଏ । ଗ୍ରାମ କଡ଼ରେ ସୁକତେଲ ନଦୀ ଥାଇ ସୁଦ୍ଧା ପାନୀୟ ଜଳ ପାଇବାରୁ ବଞ୍ଚିତ ହେବା ଘଟଣାକୁ ସହଜରେ ହଜମ କରି ନଥିଲେ ଗ୍ରାମବାସୀ । ଆଜି ସକାଳେ ଶତାଧିକ ପୁରୁଷ ଓ ମହିଳା ଗରା, ମାଠିଆ, ବାଲ୍‌ଟି ଧରି ରାସ୍ତା ଉପରେ ଟାୟାର ଜଳିବା ସହିତ ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି । ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ହେଁ ଲୋକେ ବୁଝିବା ଅବସ୍ଥାରେ ନ ଥିଲେ । ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳକୁ ଯାଇଥିବା ବେଳେ ସେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି । ଆହତ ଅବସ୍ଥାରେ ତାଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିବା ଜଣାଯାଇଛି ।

Leave A Reply

Your email address will not be published.