ପୂର୍ବ ଶତ୍ରୁତା ପାଇଁ ସମ୍ପର୍କୀୟ ଭାଇ ନେଲା ବଡ଼ ଭାଇର ଜୀବନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୂର୍ବ ଶତ୍ରୁତା ଏବଂ ଜମିବାଡ଼ି ବିବାଦକୁ ନେଇ ସମ୍ପର୍କୀୟ ସାନ ଭାଇ ବଡ଼ ଭାଇର ଜୀବନ ନେଇଛି । ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛି । ଏଭଳି ଏକ ସାଙ୍ଘାତିକ ଘଟଣା ଘଟିଛି ସିନ୍ଧେକେଲା ଥାନା ଝଳପ ପଂଚାୟତ ସାଲେବରଟ ଗାଁରେ । ଗାଁରେ ଥିବା ମକାରୁ ରଣା ଏବଂ ସ୍ୱାଦ ରଣାଙ୍କ ପରିବାରର ପାରିବାରିକ ସମ୍ପର୍କ ଥିଲେ ମଧ୍ୟ ପିଢ଼ି ପିଢ଼ିରୁ ଜମିବାଡ଼ିକୁ ନେଇ ଶତ୍ରୁତା ଲାଗି ରହିଥିଲା । ସ୍ୱାଦ କାଲି ନିଜ ୧୦ ବର୍ଷୀୟ ନାତିକୁ ନେଇ ସାଇକେଲରେ ଝଲପ ଗାଁକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ସମ୍ପର୍କୀୟ ଦୁଇ ସାନଭାଇ ମକାରୁ ରଣା ଏବଂ ଲାଳଧର ରଣା ସ୍ୱାଦକୁ ଅଟକାଇ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରିଥିଲେ । ସ୍ୱାଦଙ୍କ ନାତି ଘରକୁ ଆସି ଘଟଣା ସମ୍ପର୍କରେ ସବୁ କିଛି କହିବା ପରେ ହତ୍ୟାକାଣ୍ଡ ପଦାକୁ ଆସିଥିଲା । ସିନ୍ଧେକେଲା ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିବା ବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ମକାରୁ ଏବଂ ଲାଳଧର ରଣାକୁ ଗିରଫ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.