ବିଭିନ୍ନ ଦାବି ନେଇ ଜୁଏଲଙ୍କୁ ଭେଟିଲା ସଚେତନ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା, ସୁନ୍ଦରଗଡ ଜିଲ୍ଲାରେ ଏକ ଟ୍ରାଇବାଲ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ତାଳଚେର ବିମଳାଗଡ ରେଳପଥର ସମ୍ପୂର୍ଣ୍ଣୀକରଣ ନେଇ ରାଉରକେଲା ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଗଣ ଭେଟି ଶୁଭେଚ୍ଛା ଜଣାଇବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ମଞ୍ଚର କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଇଂ ବିମଳ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ସାଧାରଣ ସମ୍ପାଦକ ପି. ପି ରାୟ, ସମ୍ପାଦକ ଶଶଧର ପାତ୍ର ଓ ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ, ରାଉରକେଲାରେ ଆବଶ୍ୟକ ଭିତ୍ତିଭୂମି ଥିଲେ ମଧ୍ୟ ରେଳ ଡିଭିଜନ୍‌ ପ୍ରତିଷ୍ଠା କରାଯାଇପାରୁ ନାହିଁ । ସେହିପରି ସୁନ୍ଦରଗଡ ଜିଲ୍ଲା ହେଉଛି ଆଦିବାସୀ ବହୁଳ ଜିଲ୍ଲା । ସମଗ୍ର ଭାରତବର୍ଷରେ ଦୁଇଟି ଟ୍ରାଇବାଲ ୟୁନିଭରସିଟି ଯଥା ଅମରାକଣ୍ଟକରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍‌ ଟ୍ରାଇବାଲ ୟୁନିଭରସିଟି ଓ ଆନ୍ଧ୍ରପ୍ରଦେଶରେ ସେଣ୍ଟ୍ରାଲ ଟ୍ରାଇବାଲ ୟୁନିଭରସିଟି ରହିଛି । ସୁନ୍ଦରଗଡ ଜିଲ୍ଲାରେ ଆବଶକୀୟ ଭିତ୍ତିଭୂମି ଥିବାରୁ,ଏହାକୁ ଦୃଷ୍ଟିରେ ରଖି ଏଠାରେ ଏକ ଟ୍ରାଇବାଲ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଗଲେ, ଜନଜାତି ମାନେ ଉପକୃତ ହୋଇ ପାରନ୍ତେ । ଅନ୍ୟପଟେ ତାଳଚେର ବିମଳାଗଡ ରେଳପଥର ଯେଉଁ ବାଧକ ଅଛି, ସେଗୁଡ଼ିକ ସମାଧାନ ହେଲେ ଦୀର୍ଘ ଦିନର ଦାବି ପୂରଣ ହୋଇପାରନ୍ତା । କାରଣ ତାଳଚେରରୁ ସମଲ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ସମଲରୁ ପରାବିଲ ପର୍ଯ୍ୟନ୍ତ ଏହି ମାସ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ । ସେହିପରି ପରାବିଲରୁ ଖମାର ପର୍ଯ୍ୟନ୍ତ ଏହି ବର୍ଷ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ । ଖମାରରୁ ଶ୍ରୀରାମପୁରର କିଛି ସ୍ଥାନରେ ସମସ୍ୟା ଥିବାରୁ ସ୍ଥାନୀୟ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ପାଇଁ କୁହାଯାଇଛି । ଶ୍ରୀରାମପୁରରୁ ପାଲଲହଡ଼ା ପର୍ଯ୍ୟନ୍ତ ୨୦୨୫ ଡିସେମ୍ବରରେ ସରିବ । ସେହିପରି ପାଲଲହଡ଼ାରୁ ବିମଳାଗଡ ପର୍ଯ୍ୟନ୍ତ ୭୦କିମି ରେଳପଥ ପାଇଁ ପ୍ରାୟ ୧୦୦୦କୋଟି ଟଙ୍କାର ଟେଣ୍ଡର ଆସନ୍ତା ଅଗଷ୍ଟ ମାସରେ ଟେଣ୍ଡର କରାଯିବ । ଅନ୍ୟପକ୍ଷରେ ଦେବଗଡ଼ ଓ ସୁନ୍ଦରଗଡରେ ବେସରକାରୀ ୧୨ ପ୍ରତିଶତ ଜାଗା ସମସ୍ୟା ଓଡ଼ିଶା ସରକାରଙ୍କ ଲୋରା କୋର୍ଟରେ ବିଚାରାଧୀନ ଅଛି । ରେଲୱେ ବୋର୍ଡ କହୁଛି ଲୋରା କୋର୍ଟ ଯେଡିକି ଫଇସଲା କରିବ, ଆମେ ଦେବାକୁ ପ୍ରସ୍ତୁତ ଅଛୁ । ଉଲ୍ଲେଖଯୋଗ୍ୟ ଯେ, ଲୋରା କୋର୍ଟ ଦେବଗଡ ଜିଲ୍ଲାର ୪ଟା କେଶ୍‌ର ଶୁଣାଣି ଶେଷ ପର୍ଯ୍ୟାୟରେ ଅଛି । କିନ୍ତୁ ପ୍ରାୟ ୭୦ଟି ମାମଲାର ନୋଟିସ୍‌ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ପାଖକୁ ଯାଇନାହିଁ । ଏଥିରେ ଲୋରା କୋର୍ଟ ଓ ତହସିଲଦାରଙ୍କ ମୁଖ୍ୟ ଭୂମିକା ରହିଛି । ଯଦି ଓଡ଼ିଶା ସରକାର ଆର୍‌ଡିସି ସମ୍ବଲପୁର, ଦେବଗଡ ଓ ସୁନ୍ଦରଗଡର ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଅନ୍ତି, ତେବେ ଏହି ୧୨ ପ୍ରତିଶତ ଜମି ଶୀଘ୍ର ହସ୍ତାନ୍ତର ହୋଇପାରନ୍ତା । ଏବେ ସୁଦ୍ଧା ୫୦ ପ୍ରତିଶତ ସରକାରୀ ଜାଗା ରେଲୱେକୁ ହସ୍ତାନ୍ତର କରାଯାଇପାରି ନାହିଁ । ଏପରି ସ୍ଥଳେ ମନ୍ତ୍ରୀ ଶ୍ରୀ ଓରାମ ପ୍ରତିଶୃତି ଦେଇ କହିଲେ ଯେ, ଯଦି ଓଡ଼ିଶା ସରକାର ଏଦିଗରେ ତ୍ୱରାବିତ ପଦକ୍ଷେପ ନିଅନ୍ତି ତେବେ ମୁଁ ବ୍ୟକ୍ତିଗତ ଭାବେ ଏଥିପାଇଁ ଚେଷ୍ଟା କରିବି । ଏହି ଆଲୋଚନା ବେଳେ ମଞ୍ଚର ସଭାପତି ଓ ସାଧାରଣ ସମ୍ପାଦକ ଶ୍ରୀ ଓରାମଙ୍କୁ ମନେପକାଇ ଦେଇଥିଲେ ଯେ, ୨୦୦୩ ମସିହାରେ ତତ୍କାଳୀନ ବାଜପେୟୀଙ୍କ ସରକାରରେ ଆପଣ ମନ୍ତ୍ରୀ ଥିଲାବେଳେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ସେତେବେଳେ ଏହି ପ୍ରକଳ୍ପ ପାଇଁ ୨୦୧୪-୧୫ରେ ୧୦୦କୋଟି, ୨୦୧୫-୧୬ରେ ୮୦କୋଟି,୨୦୧୬-୧୭ରେ ୨୫୦ କୋଟି, ୨୦୧୭-୧୮ ରେ୨୫୦ କୋଟି, ୨୦୧୮-୧୯ରେ ୩୦୦ କୋଟି, ୨୦୧୯-୨୦ରେ ୧୫୦ କୋଟି, ୨୦୨୦-୨୧ରେ ୧୪୦ କୋଟି, ୨୦୨୧-୨୨ରେ ୧୦୦ କୋଟି, ୨୦୨୨-୨୩ରେବ୍ୟ ୨୫୦ କୋଟି, ୨୦୨୩-୨୪ରେ ୩୦୦ କୋଟି ଓ ୨୦୨୪-୨୫ ପାଇଁ ୫୦୦ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି । ରାଜ୍ୟ ସରକାର ଓ ମୁଁ ଏହି ପ୍ରକଳ୍ପକୁ ପ୍ରତ୍ୟକ୍ଷ ଦୃଷ୍ଟି ଦେଇ ଏହି କାର୍ଯ୍ୟକୁ ତ୍ୱଡିତ ପଦକ୍ଷେପ ନେବି ବୋଲି ଶ୍ରୀ ଓରାମ ଆଲୋଚନା ବେଳେ ପ୍ରତିଶୃତି ଦେଇଥିଲେ । ତାହାହେଲେ ଏହି ପ୍ରକଳ୍ପ ଆସନ୍ତା ୨୦୨୬ ଡିସେମ୍ବର ବେଳକୁ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ମଞ୍ଚର ସଭାପତି ଶ୍ରୀ ବିଶି ଓ ସାଧାରଣ ସମ୍ପାଦକ ଶ୍ରୀ ରାୟ ଆଶା ପ୍ରକଟ କରିଛନ୍ତି ।

Leave A Reply

Your email address will not be published.