ଗୋଇମୁଣ୍ଡ ଛକ ପିଚୁ ପ୍ଲାଣ୍ଟ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର ଘଟଣା

  • ଦୁର୍ଘଟଣା ଘଟାଇଥିବା ହାଇୱା ଜବତ, ଡ୍ରାଇଭର କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ୫୯ନମ୍ବର ଜାତୀୟ ରାଜପଥ ବଙ୍ଗୋମୁଣ୍ଡାରୁ ହଳଦୀ ରାସ୍ତାର ଗୋଇମୁଣ୍ଡ ଛକ ନିକଟସ୍ଥ ପିଚୁ ପ୍ଲାଣ୍ଟ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ପୁଲିସ ଅଧିକ ତଦନ୍ତ କରି ଦୁର୍ଘଟଣା ଘଟାଇଥିବା ପିଚୁ ପ୍ଲାଣ୍ଟର ହାଇୱା ଗାଡ଼ି ନଂ ଓଡ଼ି ୦୩ ଜେଡ୍‌ ୮୬୯୫କୁ ଜବତ କରିଥିବା ବେଳେ ଏହାର ଡ୍ରାଇଭର ବଙ୍ଗୋମୁଣ୍ଡା ଥାନା ଚୁଲିଫୁଙ୍କା ଗ୍ରାମର ଦିଲ୍ଲୀପ କୁମାର ଦାସ(୫୩)ଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ନୂଆପଡ଼ା ଜିଲ୍ଲା କୋମନା ଥାନା ତରବୋଡ ଗ୍ରାମର ସ୍ୱର୍ଗତ ଧନେଶ୍ଵର ଦୀପଙ୍କ ପୁଅ ଗୋପୀ ଦୀପ(୪୮) ଓ ଖରିଆରରୋଡ ଜୋଙ୍କ ଥାନା ଡୁମେରଡିହି ଗ୍ରାମର ରବି ଯାଦବ ନାମକ ଦୁଇ ଜଣ ଏକ ନମ୍ବର ବିହୀନ ବାଇକ ଯୋଗେ ଦ୍ରୁତ ଗତିରେ ଟିଟିଲାଗଡ ପଟକୁ ଯାଉଥିବା ବେଳେ ଘଟଣାସ୍ଥଳରେ ଏହି ଗାଡ଼ି ଉଭୟଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅତ୍ୟନ୍ତ ଗୁରୁତର ଗୋପୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ରବି ଗୁରୁତର ଆହତ ହୋଇଥିଲେ । ମୁରିବାହାଲ ପୁଲିସ ପହଞ୍ଚି ଆହତ ରବିଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ହସପିଟାଲ ପଠାଇଥିବା ବେଳେ ମୃତ ଗୋପୀଙ୍କ ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ପଠାଇଥିଲା । ଦୁର୍ଘଟଣାସ୍ଥଳଟି ପିଚୁ ପ୍ଲାଣ୍ଟ ସମ୍ମୁଖରେ ହୋଇଥିବାରୁ ଏହି ପ୍ଳାଣ୍ଟର ହିଁ କୌଣସି ଗାଡ଼ି ଧକ୍କାରେ ବାଇକ୍ ଦୁର୍ଘଟଣା ଘଟି ଅକାରଣରେ ଜଣଙ୍କ ଜୀବନ ଚାଲିଯାଇଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଥିଲା ଯାହା ଶେଷରେ ସତରେ ପରିଣତ ହୋଇଛି । ମୁରିବାହାଲ ଥାନା ପୁଲିସ ପକ୍ଷରୁ କେସ ନଂ ୨୦୦/୨୪ ମାମଲା ରୁଜ୍ଜୁ ସହ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରହିଥିଲା । ଦୁର୍ଘଟଣା ଘଟାଇଥିବା ପିଚୁ ପ୍ଲାଣ୍ଟର ହାଇୱା ଗାଡ଼ି ଜବତ ସହ ଏହାର ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ କୋର୍ଟରେ ତାଙ୍କର ଜାମିନ ଆବେଦନ ମଞ୍ଜୁର ହୋଇଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.