ନବନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା : ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଲେ, ରୋଗୀଙ୍କୁ ଫଳ ବାଣ୍ଟିଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ବିଧାନସଭାର ନବନିର୍ବାଚିତ ବିଧାୟକ ଆଶ୍ରିତ ପଟ୍ଟନାୟକ ଓ ପୁରୀ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ରଙ୍କୁ ଡେଲାଙ୍ଗ ବିକାଶ ପରିଷଦ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ହାଟ ବଜାରସ୍ଥିତ ଡେଲାଙ୍ଗ ବିକାଶ ପରିଷଦ କାର୍ଯ୍ୟାଳୟରେ ସାଂସଦ ଡ. ପାତ୍ର ଓ ବିଧାୟକ ଶ୍ରୀ ପଟ୍ଟନାୟକଙ୍କୁ ବିକାଶ ପରିଷଦର କର୍ମକର୍ତ୍ତାଙ୍କ ସମେତ ଶତାଧିକ ଶୁଭେଚ୍ଛୁ କାର୍ଯ୍ୟାଳୟକୁ ପାଛୋଟି ନେଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେହିପରି ବିକାଶ ପରିଷଦ ପକ୍ଷରୁ ନବନିର୍ବାଚିତ ଜନନେତାଙ୍କ ନିକଟରେ ଡେଲାଙ୍ଗ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ସେଥିରେ ମୁଖ୍ୟତଃ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ପୂରଣ କରିବା ସହ ମେଡିକାଲ୍‌ ପରିସରରୁ ଜବରଦଖଲ ଉଚ୍ଛେଦ କରିବା, କଣାସରୋଡ ରେଳ ଷ୍ଟେସନ ସନ୍ନିକଟ ପୁରୁଣା ଡେଲାଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ଭୂତଳ ବ୍ରିଜରେ ବର୍ଷା ଦିନେ ପାଣି ଜମିବା ଦ୍ୱାରା ଯାତାୟତ ବ୍ୟାହତ ହେଉଥିବାବେଳେ ଗ୍ରାମର ଛାତ୍ରଛାତ୍ରୀମାନେ ସ୍କୁଲ ଓ କଲେଜକୁ ପାଠ ପଢିବା ପାଇଁ ଯିବା ସମୟରେ ସମସ୍ୟା ସୃଷ୍ଟି ହେଉଥିବାରୁ ଏହାର ନିକଟରେ ଥିବା କେନାଲ ବନ୍ଧକୁ ସଂଯୋଗ କରିବା ସହ ଏକ ଅଣ୍ଡର ଗ୍ରାଉଣ୍ଡ ବ୍ରିଜ୍‌ ନିର୍ମାଣ କରି ଡେଲାଙ୍ଗ ଲକ୍ଷ୍ମୀବଜାରକୁ ରାସ୍ତା ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସଙ୍ଗେ ସଙ୍ଗେ ପଟ୍ଟନାୟିକିଆ-ଡେଲାଙ୍ଗ ପୂର୍ତ୍ତ ବିଭାଗ ସଡ଼କକୁ ଏଥିରେ ସଂଯୋଗ କରିବା ନିମନ୍ତେ ଲୋକସଭା ସାଂସଦ ଡ. ସମ୍ବିତ ପାତ୍ରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିଲା । ସାଂସଦ ଡ. ପାତ୍ର ଖୁବ୍‌ଶୀଘ୍ର ବିକାଶ ପରିଷଦ ପକ୍ଷରୁ ଏକ ୫ ଜଣିଆ ଟିମ୍ ସହ ଆଲୋଚନା କରି ରେଳ ବିଭାଗକୁ ଚିଠି ମାଧ୍ୟମରେ ଅବଗତ କରାଇବା ତଥା ଏଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ସାଂସଦ ଡ. ପାତ୍ର ଏବଂ ବିଧାୟକ ଶ୍ରୀ ପଟ୍ଟନାୟକ ମିଳିତ ଭାବେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ସେହିପରି ଉଷୁ କ୍ରିଡ଼ାରେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ଡେଲାଙ୍ଗ ଅଞ୍ଚଳର ମହିଳା କ୍ରୀଡାବିତମାନଙ୍କ ସହ କୋଚ୍ ନଟବର ସେଠୀଙ୍କୁ ସାଂସଦ ଓ ବିଧାୟକ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେଲାଙ୍ଗ ବିକାଶ ପରିଷଦର ସଭାପତି ପ୍ରମୋଦ ପ୍ରଧାନ, ଉପସଭାପତି କୁନ୍ତଳା କୁମାରୀ ବିଶ୍ଵାଳ, ସମ୍ପାଦକ ଜଗବନ୍ଧୁ ନରେନ୍ଦ୍ର, ସମାଜସେବୀ ଜିତେନ୍ଦ୍ରିୟ ପଟ୍ଟନାୟକ, ସୁଶିଲ ରାୟ, ହରେକୃଷ୍ଣ ସ୍ୱାଇଁ ଓ ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.