ନୂତନ ଏନ୍‌ଏସି ଓ ମ୍ୟୁନିସିପାଲିଟି ଘୋଷଣା ପ୍ରସଙ୍ଗ

  • ଚୁଡାନ୍ତ ବିଜ୍ଞପ୍ତି ପରେ ଗଠନ ହେବ ଏନ୍‌ଏସି ଓ ମ୍ୟୁନିସିପାଲିଟି
  • ପୂର୍ବ ସରକାର ଭୁଆଁ ବୁଲାଇଥିଲେ – ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୫୭ଟି ନୂତନ ଏନ୍‌ଏସି ଓ ୬ଟି ମ୍ୟୁନିସିପାଲିଟି ଗଠନ କରିବା ପାଇଁ ଘୋଷଣା କରିଥିଲେ ବୋଲି ସୂଚନା ଅଧିକାର ଆଇନ ବଳରେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ସହର ବିକାଶ ବିଭାଗ ପକ୍ଷରୁ ବିଭାଗୀୟ ଜନ ସୂଚନା ଅଧିକାରୀ ପତ୍ର ସଂଖ୍ୟା ୧୧୬୧୪ ତା ୧୧/୬/୨୦୨୪ ଯୋଗେ ରାଜ୍ୟର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ସୂଚନା ପ୍ରଦାନ କରିଛନ୍ତି । ନୂତନ ଏନ୍‌ଏସି ଓ ମ୍ୟୁନିସିପାଲିଟି ଗଠନ ପାଇଁ ଚୁଡାନ୍ତ ବିଜ୍ଞପ୍ତି ପ୍ରକାଶ ହେଲା ପରେ ସମ୍ପୃକ୍ତ ପଞ୍ଚାୟତଗୁଡିକୁ ଭାଙ୍ଗିବା ପାଇଁ ପୁଣି ଆବଶ୍ୟକୀୟ ବିଜ୍ଞପ୍ତି ପ୍ରକାଶ ହେବ ବୋଲି ତଥ୍ୟରେ କୁହାଯାଇଛି । ରାଜ୍ୟ ସରକାର ଓଡିଶା ମ୍ୟୁନିସିପାଲ ଅଧିନିୟମ ୧୯୫୦ ଅନୁସାରେ ୫୭ଟି ନୂତନ ଏନ୍‌ଏସି ଓ ୬ଟି ମ୍ୟୁନିସିପାଲିଟି ଗଠନ କରିବା ପାଇଁ କେବଳ ରାଜି ହୋଇଥିଲେ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ତଥ୍ୟକୁ ଭିତ୍ତି କରି ସୂଚନା କର୍ମୀ ପଣ୍ଡା କହିଛନ୍ତି ଯେ, ନିର୍ବାଚନକୁ ଆଖି ଆଗରେ ରଖି ଭୋଟ ହାତେଇବା ପାଇଁ ବିଗତ ବିଜୁ ଜନତା ଦଳ ସରକାର ରାଜ୍ୟରେ ଅନେକ ଗୁଡିଏ ନୂତନ ଏନ୍‌ଏସି ଓ ମ୍ୟୁନିସିପାଲିଟି ଗଠନ ପାଇଁ ଘୋଷଣା କରିଥିଲେ । ସରକାରୀ ନିୟମକାନୁନର ଅନୁପାଳନ କରାଯାଇନଥିବା କଥା ବିରୋଧି ଦଳଗୁଡିକ ପକ୍ଷରୁ ଅଭିଯୋଗ କରାଯାଇଥିଲା । ପୌର ଆଇନକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରି ଏହା ଘୋଷଣା କରାଯାଇଥିଲା ବୋଲି ତଥ୍ୟରୁ ସ୍ପଷ୍ଟ ହୋଇଥିବା ପଣ୍ଡା କହିଛନ୍ତି । ପୌର ଆଇନ ଅନୁଯାୟୀ ଏନ୍‌ଏସିରେ ସର୍ବନିମ୍ନ ଦଶ ହଜାର ଜନସଂଖ୍ୟା, ମ୍ୟୁନିସିପାଲିଟିରେ ସର୍ବନିମ୍ନ ପଚିଶ ହଜାର ଓ ମହାନଗରରେ ସର୍ବନିମ୍ନ ତିନି ଲକ୍ଷ ଜନସଂଖ୍ୟା ରହିବା ବ୍ୟବସ୍ଥା ରହିଛି । ଜନସଂଖ୍ୟାର ଘନତ୍ୱ, ଅଣକୃଷି କ୍ଷେତ୍ରର ନିଯୁକ୍ତି ସଂଖ୍ୟା ଓ ଅର୍ଥନୈତିକ ଦିଗର ଅଧ୍ୟୟନ ହେବା କଥା । କିନ୍ତୁ ତତ୍‌ଳୀନ ସରକାର ଏହା ନକରି ଏଭଳି ଗୁରୁର୍ୱପୂର୍ଣ ଘୋଷଣା କରି ଏକ ଭୂଲ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ପଣ୍ଡା କହିଛନ୍ତି । ନୂତନ ସରକାର ଏହା ଉପରେ ବର୍ତ୍ତମାନ କେଉଁ ଆଭିମୁଖ୍ୟ ନେଇ କାର୍ଯ୍ୟ କରିବେ ଏହା ସ୍ପଷ୍ଟ କରି ନାହାନ୍ତି । ଏହାକୁ ନେଇ ଅନେକ ଅଞ୍ଚଳରେ ଜନ ଆନ୍ଦୋଳନ ହୋଇଥିଲା । ଜନ ଦାବୀକୁ ସମ୍ମାନ ଦେଇ ନୂତନ ସରକାର ଏହା ଉପରେ ନିସ୍ପତ୍ତି ନେବା ପାଇଁ ସୂଚନା କର୍ମୀ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ।

Leave A Reply

Your email address will not be published.