oom

ବୌଦ୍ଧରେ ପାଳିତ ହେଲା ବିଶ୍ୱ ସିକିଲ୍‌ ସେଲ୍‌ ଦିବସ

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଆଜି ବୌଦ୍ଧ ସହର ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବୌଦ୍ଧ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସିକିଲ୍ ସେଲ୍‌ ଏନିମିଆ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଅତିଥି ବୃନ୍ଦ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପରେ ଅତିଥିମାନେ ସିକିଲ୍ ସେଲ୍‌ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନ କରି କହିଥିଲେ ଏହା ଏକ ବଂଶାନୁକ୍ରମିକ ମାରାତ୍ମକ ରୋଗ । ବୌଦ୍ଧ ଜିଲ୍ଲାରେ ଏହାର ପ୍ରଭାବ ଅତ୍ୟଧିକ । ପ୍ରାୟ ଏକାଧିକ ନବ ଜନ୍ମିତ ଶିଶୁଙ୍କ ଠାରେ ଏହି ରୋଗ ଦେଖାଯାଉଛି । ତେଣୁ ବର୍ତ୍ତମାନ ଏହା ବୌଦ୍ଧ ଜିଲ୍ଲା ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପିତାମାତାଙ୍କ ମଧ୍ୟରୁ ଜଣେ ମଧ୍ୟ ଏହି ରୋଗରେ ପୀଡିତ ଥିଲେ ତାଙ୍କ ଶିଶୁଙ୍କ ଠାରେ ପ୍ରାୟତଃ ଏହି ରୋଗ ହେବାର ଆଶଙ୍କା ଥିବାରୁ ବିବାହ ପୂର୍ବରୁ ପୁରୁଷ ଓ ମହିଳା ସିକିଲ୍‌ ସେଲ୍‌ ପରୀକ୍ଷା କରିନେବା ଉଚିତ୍ ବୋଲି ବୌଦ୍ଧ ମେଡିକାଲର ଡାକ୍ଟର ଶ୍ରୀମତୀ ସଂଘମିତ୍ରା ପଣ୍ଡା ଉପସ୍ଥିତ ଜନସାଧାରଣଙ୍କୁ ଅବଗତ ତଥା ସଚେତନ କରାଇଥିଲେ । ସୂଚନାଯୋଗ୍ୟ ଯେ, ଲୋହିତ ରକ୍ତ କଣିକାର ଆୟୁଷ ପ୍ରାୟ ୧୨୦ ଦିନ ହୋଇଥିବା ବେଳେ ସିକିଲ୍‌ ସେଲ୍ ଦ୍ୱାରା ଆକ୍ରାନ୍ତ ହେବା ଫଳରେ ଏହାର ଆୟୁଷ ୧୦ରୁ ୪୦ ଦିନକୁ ହ୍ରାସ ପାଇଯାଉଥିବାରୁ ରୋଗୀକୁ ବାରମ୍ବାର ରକ୍ତ ଗ୍ରହଣ କରିବାକୁ ପଡ଼ିଥାଏ ଏବଂ ରକ୍ତ ପ୍ରବାହରେ ବାଧା ସୃଷ୍ଟି କରିବାରୁ ରକ୍ତହୀନତା, ମାଂସପେଶୀ ଯନ୍ତ୍ରଣା, ସଂକ୍ରମଣ ତଥା ବିଭିନ୍ନ ଜଟିଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ରୋଗର କୌଣସି ସାର୍ଥକ ଔଷଧ ନଥିବାରୁ ରୋଗୀକୁ ଜୀବନସାରା କଷ୍ଟ ଭୋଗିବାକୁ ପଡ଼ିଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଜେ. ସୋନାଲ ଯୋଗ ଦେଇଥିବା ବେଳେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଜୟକୃଷ୍ଣ ମିଶ୍ର, ଡକ୍ଟର ମଦନ ମୋହନ ପ୍ରଧାନ, ଡକ୍ଟର ବି. କେ. ଆର୍ ସିଂଦେଓ ହେମ୍ରମ, ଡକ୍ଟର କେ. ସି. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉକି ଭାରତ ସରକାର ୨୦୪୭ ସୁଦ୍ଧା ଦେଶକୁ ସିକିଲ୍‌ ସେଲ୍‌ ଏନିମିଆ ବା ରକ୍ତହୀନତା ମୁକ୍ତ କରିବା ପାଇଁ ଘୋଷଣା କରିଥିବା ବେଳେ ଜନସାଧାରଣଙ୍କୁ ଜାଗରୁକ କରିବା ପାଇଁ ଏହି ଦିବସ ପାଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

jittmm
Leave A Reply

Your email address will not be published.