ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକ ହେବେ ମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶାରେ ବିଜେପି ବାଜିମାତ୍‌ କରିବା ପରେ ସରକାର ଗଢ଼ିବାକୁ ଯାଉଛି । ତେବେ ବିଜେପି ମନ୍ତ୍ରୀ ମଣ୍ଡଳରେ ବଲାଙ୍ଗିର ଜିଲ୍ଲାର ବିଜେପି ବିଧାୟକ ମାନଙ୍କ ମଧ୍ୟରୁ କିଏ ସାମିଲ୍‌ ହେବେ, ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଚଳିତ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଂଟାବାଂଜି ଆସନରୁ ହରାଇଛନ୍ତି ବିଧାୟକ ଲକ୍ଷ୍ମଣ ବାଗ । ମୁଖ୍ୟମନ୍ତ୍ରୀଙ୍କୁ ହରାଇଥିବା ଯୋଗୁଁ ସେ କଂଟାବାଂଜିରେ ଇତିହାସ ସୃଷ୍ଟି କରିଛନ୍ତି । ଏଣୁ ସେ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ପାଟଣାଗଡ଼ରେ ୫ ଥର ବିଧାୟକ ହେବା ପରେ ଗତଥର ଆସନ ହରାଇଥିଲେ ବି ଚଳିତ ନିର୍ବାଚନରେ ପୁଣି ପାଟଣାଗଡ଼ ବିଧାୟକ ଭାବେ ଜୟଯୁକ୍ତ ହୋଇଛନ୍ତି କନକ ବର୍ଦ୍ଧନ ସିଂହଦେଓ । ପୁଣି କନକ ବର୍ଦ୍ଧନ ହେଉଛନ୍ତି ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା । ଏହି ଦୃଷ୍ଟିକୋଣରୁ ଦେଖିବାକୁ ଗଲେ କନକ ବର୍ଦ୍ଧନ ମଧ୍ୟ ଅତ୍ୟନ୍ତ ଯୋଗ୍ୟତମ ବିଧାୟକ ମନ୍ତ୍ରୀ ମଣ୍ଡଳରେ ସାମିଲ୍‌ ହେବାକୁ ବୋଲି ଆଲୋଚନା ହେଉଛି । ଲୋଇସିଂହା ବିଧାୟକ ଆସନରେ ଲଗାତାର ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଛନ୍ତି ଡ. ମୁକେଶ ମହାଲିଙ୍ଗ । ସିନିଅର୍‌ ସାଇନ୍‌ଟିଷ୍ଟ ପଦବୀରୁ ଆସି ରାଜନୀତିରେ ଯୋଗ ଦେଇଛନ୍ତି ଡ. ମହାଲିଙ୍ଗ । ଏ ଦୃଷ୍ଟିରୁ ଦେଖିଲେ, ମନ୍ତ୍ରୀ ମଣ୍ଡଳରେ ଡ. ମହାଲିଙ୍ଗ ରହିବା ଦରକାର ବୋଲି ତାଙ୍କ ସାଥୀ ସମର୍ଥକମାନେ ଆଲୋଚନା କରୁଛନ୍ତି । ଅନ୍ୟପକ୍ଷରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ହେଭିୱେଟ୍‌ ନେତ୍ରୀ ଟୁକୁନି ସାହୁଙ୍କୁ ହେଭି ଭୋଟ୍‌ ମାର୍ଜିନ୍‌ରେ ପରାଜିତ କରିଥିବା ନବୀନ ଜୈନଙ୍କ ଦକ୍ଷତାକୁ ମଧ୍ୟ ଅଣଦେଖା କରାଯାଇ ନପାରେ । ସେ ମଧ୍ୟ ଜଣେ ଯୋଗ୍ୟ ବିଧାୟକ ମନ୍ତ୍ରୀ ପଦ ପାଇଁ । ତେବେ ବଲାଙ୍ଗିର ଜିଲ୍ଲାର କେଉଁ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନଥିଲେ ବି ଜିଲ୍ଲାରୁ ନିଶ୍ଚୟ ଜଣକ ମନ୍ତ୍ରୀ ପଦ ମିଳିବ ବୋଲି ଏବେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.