
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଆଦିବାସୀ ଭବନ ଠାରେ ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ସଂଯୋଜକ ସରୋଜ କୁମାର ମେଶ୍ୱାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଓବିସିଙ୍କ ଜନସଂଖ୍ୟା ଓଡ଼ିଶାରେ ୫୨% ଏବଂ ଦୁଇ କୋଟିରୁ ଅଧିକ ଥିଲେ ମଧ୍ୟ ଆରକ୍ଷଣ ହର ଶୂନ୍ୟ । ଶିକ୍ଷା ଓ ଚାକିରି କ୍ଷେତ୍ରରେ ଦେଶର ସମସ୍ତ ରାଜ୍ୟରେ ଓବିସିଙ୍କୁ ୨୭% ସଂରକ୍ଷଣ ଯୋଗାଇ ଦିଆଯାଇଥିଲେ ମଧ୍ୟ ଓଡ଼ିଶାର ନବୀନ ସରକାର ରାଜ୍ୟର ଓବିସିଙ୍କୁ ହତାଦର କରିବାରେ ଲାଗିଛନ୍ତି । ଏପରିକି ଓବିସିରେ ୯ଟି ଉଚ୍ଚଜାତିକୁ ମିଶାଇ ଏସ୍ଇବିସି କରିଛନ୍ତି । ଇଡବ୍ଲୁଏସ୍ ନାଁରେ ଉଚ୍ଚ ବର୍ଗର ୩% ଲୋକଙ୍କୁ ୧୦% ସଂରକ୍ଷଣ ମଧ୍ୟ ଦେଉଛନ୍ତି । ଏସ୍ସି ତଥା ଏସ୍ଟିଙ୍କୁ ସଂରକ୍ଷଣ ଦେଉଥିବା ବେଳେ ଓବିସିଙ୍କୁ ଆଦୌ ସଂରକ୍ଷଣ ଦେଲେ ନାହିଁ । ଦୀର୍ଘ ୨୪ ବର୍ଷର ଶାସନ କାଳରେ ଓବିସିଙ୍କ ପାଇଁ ରାଜ୍ୟ ସରକାର କିଛି କଲେ ନାହିଁ । କିନ୍ତୁ ସାଢେ଼ ଚାରିକୋଟି ଓଡିଆ ବିଜୁ ପରିବାର ବୋଲି କହିବା ହାସ୍ୟାସ୍ପଦ ଅଟେ । ଏପରି ସ୍ଥଳେ ବିଜୁ ଜନତା ଦଳ ସରକାରକୁ ଓବିସି ମାନେ କାହିଁକି ଭୋଟ ଦେବା ବୋଲି ଶ୍ରୀ ମେଶ୍ଵା ପ୍ରଶ୍ନ କରିଛନ୍ତି । ଏଣୁ ଦଳ ମତ ନିର୍ବିଶେଷରେ ଓବିସି ଜାତିର ପ୍ରାର୍ଥୀଙ୍କୁ ହିଁ ସମର୍ଥନ କରି ଭୋଟ ଦେବା ସକାଶେ ସେ ଆସ୍ୱାନ ଜଣାଇଛନ୍ତି । ସଂରକ୍ଷଣ ସିଟରେ ଯେଉଁ ଦଳ ବା ପ୍ରାର୍ଥୀ ପଛୁଆ ବର୍ଗଙ୍କ ହିତ ପାଇଁ ଲଢେଇ କରିବ ସେହି ଦଳ ବା ବ୍ୟକ୍ତି ବିଶେଷଙ୍କୁ ଓବିସି ମାନେ ଭୋଟ ଦେବେ ବୋଲି ଶ୍ରୀ ମେଶ୍ଵା ପ୍ରେସ୍ ବିବୃତିରେ ଅନୁରୋଧ କରିଥିଲେ । ଏହି ଅବସରରେରେ ମଧୁସୂଦନ କ୍ଷେତୀ, ଓବିସି ମଞ୍ଚ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆବାହକ ସୁମନ୍ତ ମେହେର, ଜୟବିହାରୀ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିଲେ ।