csstore

ସର୍ଭିସ୍‌ ଷ୍ଟାର୍‌ ସମ୍ମାନରେ ସମ୍ମାନିତ ହେଲେ ଶିକ୍ଷକ ଦୀନବନ୍ଧୁ

ଏସ୍‌.ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତଥା ସ୍କାଉଟ୍‌ ମାଷ୍ଟର ଦୀନବନ୍ଧୁ ପ୍ରଧାନ ସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ରାଜ୍ୟପାଳଙ୍କ ଠାରୁ ସମ୍ମାନଜନକ ସର୍ଭିସ୍‌ ଷ୍ଟାର୍‌ ପୁରସ୍କାର ପ୍ରାପ୍ତ କରିଛନ୍ତି । ରାଜଭବନର ଅଭିଷେକ ହଲ୍‌ ଠାରେ ଓଡିଶା ରାଜ୍ୟ ସ୍କାଉଟ୍‌ ଓ ଗାଇଡସ୍ ତରଫରୁ ଆୟୋଜିତ ହୋଇଥିବା ଏକ ବର୍ଣ୍ଣାଢ୍ୟ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ଉତ୍ସର୍ଗୀକୃତ ଭାବେ ସେବା କ୍ଷେତ୍ରରେ ଉପଲବ୍‌ବ୍ଧି ଲାଭ କରିଥିବା ସ୍କାଉଟ୍‌ ମାଷ୍ଟର ଶ୍ରୀ ପ୍ରଧାନଙ୍କୁ ମେଡାଲ୍‌ ଓ ସାର୍ଟିଫିକେଟ୍‌ ଦେଇ ସମ୍ମାନିତ କରିଛନ୍ତି । ଉକ୍ତ ଉତ୍ସବରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍‌ ଏବଂ ଗାଇଡସ୍‌ର ରାଜ୍ୟ ମୁଖ୍ୟ କମିଶନର କାଳି ପ୍ରସାଦ ମିଶ୍ର, ଗାଇଡସ୍ କମିଶନର ସିପ୍ରା ମଲ୍ଲୀକଙ୍କ ସମେତ ଅନ୍ୟାନ୍ୟ ବରେଣ୍ୟ ଅତିଥି ବୃନ୍ଦ ଉପସ୍ଥିତ ରହି ସେବା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନକୁ ସେବା ସମ୍ମାନ ପ୍ରାପ୍ତି ନିମନ୍ତେ ଉତ୍ସାହିତ କରିଛନ୍ତି । ପ୍ରକାଶ ଥାଉକି, ଶ୍ରୀ ପ୍ରଧାନ ଦୀର୍ଘ ୨୫ ବର୍ଷରୁ ଓଡିଶା ରାଜ୍ୟ ସ୍କାଉଟ୍‌ ଓ ଗାଇଡସ୍ ସଂସ୍ଥା ସହିତ ଅନୁବନ୍ଧିତ ହୋଇ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମାର୍ଗଦର୍ଶନ କରିବା ସହିତ ଅନୁଷ୍ଠାନ ତରଫରୁ ସମାଜର ବିକାଶ ନିମନ୍ତେ ନିରବଚ୍ଛିନ୍ନ ଭାବରେ ସେବା ପ୍ରଦାନ କରିଆସିଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ଅନୁଷ୍ଠାନର ମର୍ଯ୍ୟାଦାଜନକ ବସନ୍ତ ବିଶ୍ୱାଳ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇସାରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ସତ୍ୟନାରାୟଣ ତ୍ରିପାଠୀ, ମାୟାବର୍ହା ହାଇସ୍କୁଲର ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ, ବୁଦ୍ଧିଜିବୀ, ଛାତ୍ରଛାତ୍ରୀ ଏବଂ ଅଭିଭାବକ ବୃନ୍ଦ ରାଜ୍ୟପାଳଙ୍କ ଠାରୁ ସର୍ଭିସ୍‌ ଷ୍ଟାର୍‌ ପୁରସ୍କାର ପ୍ରାପ୍ତ କରିଥିବାରୁ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

jayashree
Leave A Reply

Your email address will not be published.