ସାମ୍ବାଦିକ ସ୍ୱର୍ଗତଃ ଶଙ୍କର ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ବର୍ଗତଃ ଶଙ୍କର ପ୍ରସାଦ ମିଶ୍ରଙ୍କ ବିୟୋଗରେ ଆଜି ଟିଟିଲାଗଡ଼ ସାମ୍ବାଦିକ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ତଥା ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ ମହାବୀର ପଂଚାୟତ ଧର୍ମଶାଳାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ସାହିତ୍ୟିକ ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା ଭାବେ, ଶିକ୍ଷାବିତ ବଦ୍ରିନାରାୟଣ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ବଲାଙ୍ଗିର ଶାଖାର ସଭାପତି ଦୀପକ ସମାଦାର ତଥା ବରିଷ୍ଠ ସାମ୍ବାଦିକ ଶିବ ପ୍ରସାଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଶଙ୍କର ପ୍ରସାଦ ମିଶ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ସ୍ୱର୍ଗତଃ ମିଶ୍ର ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି, ରାଜ୍ୟ ସାମ୍ବାଦିକ ସଭାପତି ସହ ଜାତୀୟ ସ୍ତରରେ ଉପ ସଭାପତି ପଦ ଅଳଙ୍କୃତ କରି ବଲାଙ୍ଗିର ସାମ୍ବାଦିକମାନଙ୍କ ସମ୍ମାନକୁ ଜାତୀୟ ସ୍ତରରେ ପହଞ୍ଚାଇ ପାରିଥିଲେ ବୋଲି ସାମ୍ବାଦିକ ମାନେ ଆଲୋଚନା କରିଥିଲେ । ସେ ଜଣେ ନିର୍ଭିକ, ନିରପେକ୍ଷ, ସତ୍ୟବାଦୀ ସାମ୍ବାଦିକ ଭାବରେ ବେଶ ସୁନାମ ଅର୍ଜନ କରିଥିଲେ । ସ୍ବର୍ଗତ ଶଙ୍କର ପ୍ରସାଦ ମିଶ୍ର କଲମର କାରିଗର ଭାବରେ ବେଶ ପରିଚିତ । ସାମ୍ବାଦିକମାନଙ୍କ ପାଇଁ ସାଲିସ ବିହୀନ ସଂଗ୍ରାମ ତାଙ୍କ ନେତୃତ୍ୱକୁ ବେଶ ସୂଚାଇଥାଏ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ସାମ୍ବାଦିକ ସ୍ମୃତିଚାରଣ କରିଥିଲେ । ବରିଷ୍ଠ ବକ୍ତାମାନେ ସାମ୍ବାଦିକର ଆଚରଣ କିପରି ରହିବା ଉଚିତ ସେ ଉପରେ ଆଲୋଚନା କରିଥିଲେ । ଏହା ସହ ସ୍ୱର୍ଗତଃ ମିଶ୍ରଙ୍କ ଆଦର୍ଶ କୁ ଅନୁସରଣ କରି ତାଙ୍କ ପରି ଏକ ନିର୍ଭୀକ, ନିରପେକ୍ଷ ସାମ୍ବାଦିକ ହେବ ପାଇଁ ଉପଦେଶ ଦେଇଥିଲେ । ଆଗକୁ ସ୍ୱର୍ଗତଃ ଶଙ୍କର ପ୍ରସାଦ ମିଶ୍ରଙ୍କ ସ୍ମୃତିରେ ସମାଜସେବୀମାନଙ୍କୁ ତାଙ୍କ ନାମର ଏକ ପୁରସ୍କାର ବିତରଣ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି । ଟିଟିଲାଗଡ଼ ସାମ୍ବାଦିକ ୟୁନିୟନ ସମ୍ପାଦକ ସଞ୍ଜୟ ବେହେରା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ କରିଥିବା ବେଳେ ଯୁବ ସାମ୍ବାଦିକ ସତ୍ୟବ୍ରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲାଏନ୍ସ କ୍ଳବ ସଭାପତି ରତ୍ନାକର ସାହୁ, ନାଗରିକ ମଞ୍ଚ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ମୋହନ ଲାଲ ଜୈନ, ଓକିଲ ସଂଘ ସମ୍ପାଦକ ମହେଶ ମହାନ୍ତି, ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋୟଲ, ସରପଞ୍ଚ ସଂଘ ସମ୍ପାଦକ ହରି ମିଶ୍ର, ଭେଟେରାନ ସାମ୍ବାଦିକ ଟିଟିଲାଗଡ଼ର ସଞ୍ଜୟ ଅଗସ୍ତି, ପୂର୍ବତନ ସାମ୍ବାଦିକ ଟିକେଲଲ ବେହେରା, ବରିଷ୍ଠ ସାମ୍ବାଦିକ ଜଗଦିଶ ଜୈନ, ଦିଲୀପ ପୁରୋହିତ, ଇଶ୍ୱର ଜୈନ, ମୁରିବାହାଲ ବ୍ଲକ ସଭାପତି ଭଗବାନ ପ୍ରମୁଖ ସ୍ବର୍ଗତ ଶଙ୍କର ପ୍ରସାଦ ମିଶ୍ରଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଟିଟିଲାଗଡ଼ ସହର ସମସ୍ତ ସାମ୍ବାଦିକ, ମୁରିବାହାଲ ସାମ୍ବାଦିକ ସହ ଟିଟିଲାଗଡ଼ର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ବର୍ଗତ ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.