ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଡପ୍‌ ଅଭିଯୋଗ : ଥାନାରେ ଏତଲା

ଟିଟିଲାଗଡ, (ଗୌରବ ଦର୍ଜୀ) : ୨୦୨ ୨ ମସିହା ସୁଦ୍ଧା ଦେଶର ସବୁ ପରିବାରଙ୍କ ମୁଣ୍ଡ ଉପରେ ଛାତ ରହିବ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଜ୍ଞା କରି କହିଥିଲେ । ତେଣୁ ‘ପ୍ରଧାନମନ୍ତ୍ରୀ ଆବସ ଯୋଜନା’ ପ୍ରଧାନମନ୍ତ୍ରୀଙ୍କର ଏକ ବହୁ ଅଭିଳଷିତ ଯୋଜନା ଓ ଗୁରୁତ୍ବପୂର୍ଣ୍ଣ ଜାତୀୟ ସ୍ତରର ଯୋଜନା । କିନ୍ତୁ ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ୍‌ କରିବା ପାଇଁ ରୀତିମତ ଯୋଜନା ଚଳାଇଛନ୍ତି ବୋଲି ଟିଟିଲାଗଡ ବିଜେପି ଦଳ ତରଫରୁ ଅଭିଯୋଗ ହୋଇଛି । ପୂର୍ବରୁ ୧୦୮ ଆମ୍ବୁଲାନ୍ସ‌କୁ ନିଜ ଯୋଜନା ଭାବେ ବ୍ରାଣ୍ଡିଂ କରି ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିଥିଲେ ରାଜ୍ୟ ସରକାର ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫଳକରେ ଛୋଟ ଅକ୍ଷରରେ ପ୍ର.ଆ.ଯୋ.(ଗ୍ରାମୀଣ) ଲେଖୁଥିବା ବେଳେ ଚଞ୍ଚକତା କରି ବିଜୁବାବୁଙ୍କ ଫଟୋ ଲୋଗୋ ସହ ବଡ ବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଥିବା ଅଭିଯୋଗ କରିଛନ୍ତି ଟିଟିଲାଗଡ ବିଜେପି କର୍ମୀ । ୧୦/୧ ୨ ବର୍ଷ ତଳୁ ନିର୍ମିତ ହୋଇଥିବା ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କାଘରେ ଏବେ ବିଜୁ ପକ୍କା ଘର ଷ୍ଟିକର ମାରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବାର ଷଡଯନ୍ତ୍ର କରି ରାଜ୍ୟବାସୀଙ୍କୁ ଠକୁଛନ୍ତି ବୋଲି କହିଛନ୍ତି । ଏଥି ସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି, ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ଉଲ୍ଲେଖ ନକରି ସବୁ ପକ୍କାଘର ବିଜେଡ଼ି ସରକାର ଯୋଗାଇ ଦେଇଛନ୍ତି ବୋଲି ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରତାରିତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ କୌଣସି ସ୍ଥାୟୀ ଯୋଜନାର ନାଁକୁ ରାଜ୍ୟ ସରକାର ପରିବର୍ତ୍ତନ କରି ପାରିବେ ନାହିଁ କିମ୍ବା ସେହି ଯୋଜନାର ଅର୍ଥକୁ ଅନ୍ୟତ୍ର ଖର୍ଚ୍ଚ କରି ପାରିବେ ନାହିଁ ବୋଲି ଆଇନରେ ସ୍ପଷ୍ଟ ଉଲ୍ଲେଖ ରହିଛି । ତେଣୁ ରାଜ୍ୟ ସରକାର ନିର୍ମିତ ଗୃହରେ ଷ୍ଟିକର ମାରିବା ଓ ମୁଖ୍ୟମନ୍ତ୍ରୀଙ୍କ ମିଥ୍ୟା ତଥ୍ୟ ଥିବା ଚିଠି ସଂପୂର୍ଣ୍ଣ ବେଆଇନ୍, ଠକାମୀ, ପ୍ରବଞ୍ଚନା, ପ୍ରତାରଣା ଓ ଉଦେ୍‌ଦ୍ଦଶ୍ୟମୂଳକ କାର୍ୟ୍ୟ ବୋଲି ଟିଟିଲାଗଡ ପୋଲିସ ଷ୍ଟେସନରେ ଲିଖିତ ଅଭିଯୋଗ ପତ୍ର ଦାଖଲ କରି ମକଦ୍ଦମା ରୁଜୁ କରିଛନ୍ତି ।

Leave A Reply

Your email address will not be published.