ନବଜୀବନ ବିଦ୍ୟାପୀଠର ସହ ଶିକ୍ଷୟତ୍ରୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ନବଜୀବନ ବିଦ୍ୟାପୀଠ, ବଲାଙ୍ଗିରର ସହ ଶିକ୍ଷୟତ୍ରୀ ସୁପ୍ରଭା ବାରିକଙ୍କ ଡୁଙ୍ଗୁରିପଡା ସ୍ଥିତ ଖ୍ରୀଷ୍ଟିୟ ସମାଧି ସ୍ଥଳରେ ଖ୍ରୀଷ୍ଟିୟ ରୀତିରେ ସମାଧିକାର୍ଯ୍ୟ ସମ୍ପନ୍ନ ହୋଇଯାଇଅଛି । ପ୍ରକାଶ ଯୋଗ୍ୟ ଯେ, ଗତ ୩୧.୧୨.୨୦୨୦ ଦିନ ଅପରାହ୍ନରେ ସ୍ଥାନୀୟ ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୀର୍ଘ ଏକ ବର୍ଷ ଧରି କ୍ଷୁଦ୍ରାନ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସେ ଆଦର୍ଶପଡା ନିବାସୀ ପୂର୍ବତନ ପୋଲିସ କର୍ମଚାରୀ ୰ବଳହରି ବାରିକ ଓ ଶିକ୍ଷୟତ୍ରୀ କଲ୍ୟାଣୀ କରଙ୍କ ଜ୍ୟୋଷ୍ଠା କନ୍ୟା ଥିଲେ । ତାଙ୍କର ସ୍ୱାମୀ ପ୍ରଶାନ୍ତ ପଟ୍ଟନାୟକ ଓଡିଶା ଫରେଷ୍ଟ ଡିଭିଜନ କର୍ପୋରେସନ ବିଭାଗର ଜଣେ ଅବସରପ୍ରାପ୍ତ ଅଧିକାରୀ । ତାଙ୍କର ଏକମାତ୍ର ପୁତ୍ର ଡ. ନିହାର ରଞ୍ଜନ ପଟ୍ଟନାୟକ ସନ୍ଥ ଭୀମ ଭୋଇ ମେଡିକାଲ କଲେଜର ଜଣେ କାର୍ଯ୍ୟରତ ଡାକ୍ତର ଅଟନ୍ତି । ଝିଅ ପି. ସାରୋନ ଫିଜିଓଥେରୋପି ଡାକ୍ତର ଅଟନ୍ତି । ସେ ବିଦ୍ୟାଳୟରେ ଓଡିଆ, ଭୂଗୋଳ, ଇତିହାସ ଓ ନଗର ବିଜ୍ଞାନ ବିଷୟରେ ଶିକ୍ଷାଦାନ କରୁଥିଲେ । ସେ ଜଣେ ଛାତ୍ରବତ୍ସଳା ଶିକ୍ଷୟତ୍ରୀ ଥିଲେ । ବିଦ୍ୟାଳୟର ଖେଳକୁଦ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ସହାୟତା ପ୍ରଦାନ କରୁଥିଲେ । ଶିକ୍ଷୟତ୍ରୀ ସୁପ୍ରଭା ବାରିକଙ୍କ ବିୟୋଗରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପବିତ୍ରାଚାର୍ଯ୍ୟ ଡ. ପିନୁଏଲ ଦୀପ, ସମ୍ପାଦକ ଦାଉଦ ସାଗର, ପ୍ରଧାନ ଶିକ୍ଷକ କିଶୋର ବାଗ, ମ୍ୟାନେଜିଙ୍ଗ କମିଟିର ସଦସ୍ୟଗଣ, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଗଣ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ଖ୍ରୀଷ୍ଟିୟାନ ସମାଜରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଅଛି ଏବଂ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

error: Content is protected !!