୩୦ ମାସ ହେଲା ଦରମା ପାଇ ନାହାନ୍ତି ପାଣି ପମ୍ପ ଚାଳକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରୀ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପାଇଁ ରତନ ହରିପାଲ ୨୦୧୨ ମସିହାରୁ ପାଣି ପମ୍ପ ଚାଳକ ତଥା ନଳକୂପ ମରାମତି ଦାୟିତ୍ୱରେ କାମକରି ଆସୁଛନ୍ତି । ହେଲେ ବିଗତ ଜୁଲାଇ ୧ ତାରିଖ ୨୦୧୮ ମସିହା ଠାରୁ ଡିସେମ୍ବର ୨୯ ତାରିଖ ୨୦୨୦ ମସିହା ୩୦ ମାସ ହେଲା ତାଙ୍କର ଦରମା ପାଇ ନାହାଁନ୍ତି । ସେ ଏହା ପୂର୍ବରୁ ଟେମରୀ ଗ୍ରାମପଞ୍ଚାୟତ ତରଫରୁ ଦରମା ପାଉଥିଲେ । ବିଡମ୍ବନାର ବିଷୟ ଦୀର୍ଘ ୩୦ ମାସ ହେବ ସେ ଦରମା ପାଇନଥିବା କାରଣରୁ ତାଙ୍କ ପରିବାର ପରିପୋଷଣ କରିବାରେ ଅସୁବିଧା ଭୋଗୁଛନ୍ତି । କରୋନା କଟକଣା ସମୟରେ ନିଜ କାର୍ୟ୍ୟ ତୁଲାଇଥିଲେ ମଧ୍ୟ ସେ ଦରମା ପାଇବାରୁ ବଞ୍ଚିତ । ଏ ବିଷୟରେ ବିଭିନ୍ନ ସମୟରେ ଟେମରୀ ଗ୍ରାମପଞ୍ଚାୟତ ଅଧିକାରୀ, ପାଇକମାଲ ବିଡ଼ିଓ, ପଦ୍ମପୁର ଉପଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ତାଙ୍କର ୩୦ ମାସର ଦରମା ପାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ଲିଖିତ ଭାବରେ ଗୁହାରୀ କରିଛନ୍ତି ।

Leave A Reply

Your email address will not be published.

error: Content is protected !!