ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଦଳ ପକ୍ଷରୁ ଟିଟିଲାଗଡରୁ ପୁଣି ଥରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ମନ୍ତ୍ରୀ ଥିବା ଶ୍ରୀମତୀ ଟୁକୁନି ସାହୁ । ଆଜି ତାଙ୍କ ବିରୁଦ୍ଧରେ ବିଜେପି ଟିକେଟ୍ ଦେଇଛି ଟିଟିଲାଗଡ଼ରେ ନବୀନ ଜୈନଙ୍କୁ । ଦୀର୍ଘ ଦୁଇ ବର୍ଷର ପରିଶ୍ରମ, ଲୋକ ସମ୍ପର୍କ, ଦଳୀୟ ପ୍ରଚାର ତଥା ସଂଗଠନକୁ ଦୃଷ୍ଟିରେ ରଖି ରାଜ୍ୟ ତଥା କେନ୍ଦ୍ରୀୟ ଚୟନ କମିଟି ପକ୍ଷରୁ ଟିଟିଲାଗଡରୁ ପ୍ରାର୍ଥୀ କରାଯାଇଛି ନବୀନ ଜୈନଙ୍କୁ । ଟିଟିଲାଗଡ ସହର ତଥା ଆଖପାଖ ଅଂଚଳରେ ଏ ଖବର ପ୍ରଚାରିତ ହେବା ପରେ ନବୀନ ଜୈନଙ୍କ ଶୁଭେଚ୍ଛୁ, ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ବହୁତ ଦିନର ଅପେକ୍ଷା ତଥା ଆଶାୟୀଙ୍କ ଲବିକୁ କାଟି ନିଜର ଦକ୍ଷତା ବଳରେ ସେ ବିଜେପି ଟିକେଟ ପାଇଛନ୍ତି ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି । କଂଗ୍ରେସ ପ୍ରାର୍ଥୀ କିଏ ହେବ ? ତାହା ପୁଣି ବାକି ରହିଲା । କିନ୍ତୁ ଚଳିତ ବର୍ଷ ନିର୍ବାଚନରେ ନବୀନ ଜୈନ ଓ ଟୁକୁନି ସାହୁଙ୍କ ମଧ୍ୟରେ ଜୋର୍ଦାର୍ ଲଢେଇ ସୁନିଶ୍ଚିତ ବୋଲି ସାଧାରଣରେ ଆଲୋଚନା ହେଉଛି । କିଏ କେଉଁ ରଣନୀତି ପ୍ରସ୍ତୁତ କରିବ ଏବଂ ବିଜୟୀ ହେବ, ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣା ପଡ଼ିବ । ସେ ଯାହାବି ହେଉ, ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ନବୀନ ଜୈନଙ୍କ ପାଇଁ ଲୋକଙ୍କ ପ୍ରଚୁର ସମର୍ଥନ ରହିଥିବା ଲୋକେ କହୁଛନ୍ତି ।