oom

ଡେଲାଙ୍ଗରେ ବିଏସ୍‌କେୱାଇ ନବୀନ କାର୍ଡ ବଣ୍ଟନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବିଏସ୍‌କେୱାଇ ନବୀନ କାର୍ଡ ନୂତନ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଛି । କାର୍ଯ୍ୟକ୍ରମରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ କାର୍ଡ ପ୍ରଦାନ କରିଥିଲେ । ଏହି ଯୋଜନାରେ ଡେଲାଙ୍ଗ ବ୍ଲକ ଅଞ୍ଚଳର ମୋଟ ୧୫୮୭ ଜଣ ହିତାଧିକାରୀ କାର୍ଡ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଗୁରୁବାର ୧୧୦୬ ଜଣକୁ ନବୀନ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ବିଏସ୍‌କେୱାଇ କାର୍ଡ ମାଧ୍ୟମରେ ପରିବାରର ସବୁ ସଦସ୍ୟ ପାଇଁ ୫ଲକ୍ଷ ଟଙ୍କା ଓ ମହିଳା ସଦସ୍ୟମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସହାୟତା ମିଳିପାରିବ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀ ଯେକୌଣସି ସରକାରୀ ହସ୍ପିଟାଲ ଓ ରାଜ୍ୟ ସରକାରଙ୍କ ଅନୁବନ୍ଧିତ ବେସରକାରୀ ହସ୍ପିଟାଲରେ ଏହି କାର୍ଡ ମାଧ୍ୟମରେ ନିଜ ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା ମାଗଣାରେ କରିପାରିବେ । ଏହା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟ ଅତିଥି ଶ୍ରୀ ମହାରଥୀ କହିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷିତିଶ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ସହିତ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ଦିପ୍ତୀଶ୍ରୀ ରାଉତରାୟ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ପଂଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଆର୍‌ଏସ୍‌, ବ୍ଲକ ଷ୍ଟାଫ, ବିଏସ୍‌କେୱାଇ ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.