ସର୍ଭିସ ପ୍ରୋଭାଇଡର୍‌ ଏଜେନ୍ସି ଗୁଡିକ ଜରିଆରେ ବିଭିନ୍ନ ବିଭାଗରେ କାମ କରୁଥିବା ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବଢିବ

  • ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ ସ୍ଥିର କରାଯିବ
  • ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକ ହଜାର ଟଙ୍କା ମିଳିବ

ଭୁବନେଶ୍ୱର : ସର୍ଭିସ ପ୍ରୋଭାଇଡର୍‌ ଏଜେନ୍ସି ଦ୍ୱାରା ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରିଛନ୍ତି । ଏହି କର୍ମଚାରୀମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣି ବ୍ୟବସ୍ଥା ତଥା ଠିକ୍‌ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ । ସୂଚନାଯୋଗ୍ୟ ଯେ ଏହି ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀମାନେ ସେମାନଙ୍କର ବିଭିନ୍ନ ଅସୁବିଧା ସଂପର୍କରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ । ତଦ୍‌ନୁଯାୟୀ ରାଜ୍ୟ ସରକାର ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

୧. ସେମାନଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଗଲା ।
୨. ସେମାନେ ଯେପରି ମାସ ଶେଷକୁ ସେମାନଙ୍କର ପାରିଶ୍ରମିକ ଠିକ୍‌ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
୩. ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀ ଓ ସର୍ଭିସ ପ୍ରୋଭାଇଡର୍‌ ଏଜେନ୍ସି ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଓଡିଶା ଷ୍ଟେଟ ଆଉଟ୍‌ସୋର୍ସିଙ୍ଗ୍‌ ଏମ୍ପ୍ଲୋଇସ୍‌ OMBUDSMAN ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୪. ଅଭିଜ୍ଞତା ଥିବା କାର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ । ପ୍ରତି ପାଞ୍ଚ ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକହଜାର ଟଙ୍କା ମିଳିବ ।
୫. ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପର୍ଯ୍ୟନ୍ତ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ନେଇପାରିବେ ।
୬. ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀ ତଥା ସର୍ଭିସ ପ୍ରୋଭାଇଡର୍‌ ଏଜେନ୍ସିଙ୍କର ଅଭିଯୋଗ ଶୁଣାଣି ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ ।
୭. ସେମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ ଜିଏ ଏଣ୍ଡ ପିଜି ଡିପାର୍ଟମେଣ୍ଟ, ସିଏମ୍‌ଜିଆଇ ଜରିଆରେ ଏକ ସପ୍ଟୱେର ଏପ୍ଲିକେସନ ବିକଶିତ କରାଯିବ । ଯେଉଁଥିରେ କି ଉଭୟ କର୍ମଚାରୀ ଓ ଏଜେନ୍‌ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ ।
୮. ଯେଉଁ ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ ।
ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସବୁ ବିଭାଗ ସର୍ଭିସ ପ୍ରୋଭାଇଡର୍‌ ଏଜେନ୍ସିମାନଙ୍କ ସହିତ ସପ୍ଲିମେଣ୍ଟାରୀ ଏଗ୍ରିମେଣ୍ଟ କରିବେ ।

Leave A Reply

Your email address will not be published.