ରାଜନୀତିରେ ନ ଥାଇ ବି ଲୋକଙ୍କ ସେବା କରିବି : ନରସିଂହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଦୀର୍ଘଦିନ ଧରି ଗୋଟିଏ ଦଳ କ୍ଷମତାରେ ରହିଲେ ଅହମିକା ବଢ଼ି ଯାଇଥାଏ । ତେଣୁ ସମୟ ବ୍ୟବଧାନରେ ଲୋକେ ନିର୍ବାଚିତ ସରକାରଙ୍କୁ ପରିବର୍ତ୍ତନ କରିବା ଦରକାର ବୋଲି ଲୋଇସିଂହା ବ୍ଲକ ମାଗୁରବେଡାଠାରେ ଆୟୋଜିତ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଉଦ୍‌ଘାଟନ ଅବସରରେ ମତବ୍ୟକ୍ତ କରିଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଲୋଇସିଂହା ବ୍ଲକ ସରପଞ୍ଚ ସଂଘର ସଭାପତି ତଥା ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡତ୍ୟାଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ମିଶ୍ର ଯୋଗଦେଇ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ପ୍ରକାଶ କରିଥିଲେ । ରାଜନୀତିରେ ନ ଥାଇ ମଧ୍ୟ ସେ ଲୋକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସୂଚନା ଦେବା ସହିତ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ତରବରିଆ ଭାବେ ଅସମ୍ପୂର୍ଣ୍ଣ ଥିବା ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ଉଦ୍‌ଘାଟନ କରିଥିବା କହି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମାରୋହରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଦଳେଇ, କନିଷ୍ଠ ଯନ୍ତ୍ରୀ ଯୁଧିଷ୍ଠିର ଦେହେରି, ଜିଆର୍‌ଏସ୍‌ ଶିବପ୍ରସାଦ ସା, ନାଏବ ସରପଞ୍ଚ ତୁଳା କୁଅଁରଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.