ଆଠଗଡ଼ : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଯୋଡ଼ିହେଲା ଆଉ ଏକ ଫର୍ଦ୍ଦ । ୫-ଟି ଯୋଜନାରେ ‘ଆମ ହସ୍ପିଟାଲ୍’ର ହୋଇଯାଇଛି ରୂପାନ୍ତରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହାର ଶୁଭ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ପକ୍ଷରୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ୩ କୋଟି ୨୩ ଲକ୍ଷ ୬୯ ହଜାର ୯୮୫ ଟଙ୍କା ବ୍ୟୟ ଅଟକଳରେ ରୋଗୀ ଅପେକ୍ଷା ଗୃହ, ଔଷଧ ବିତରଣ କେନ୍ଦ୍ର, ପଞ୍ଜୀକରଣ କାଉଣ୍ଟର୍, ମିଶନଶକ୍ତି କାଫେ ଆଦି ନିର୍ମାଣ କରାଯାଇଛି । ଆଠଗଡ଼ରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ଆଠଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ବହୁ ପଦାଧିକାରୀମାନେ ଉପସ୍ଥିତ ଥିଲେ ।