କର୍ମ ସଂସ୍ଥାନ ପାଇଁ ପ୍ରବାସୀ ପାଲଟିଥିବା ଯୁବକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ଜୟପାଟଣା, (ଶେଷଦେବ ବେହେରା) : କର୍ମ ସଂସ୍ଥାନ ପାଇଁ ହାଇଦ୍ରାବାଦ ଯାଇ ଏକ ଘରୋଇ କମ୍ପାନୀରେ ଡ୍ରାଇଭର ଭାବରେ କାର୍ଯ୍ୟ କରୁଥିବା ଜଗନ୍ନାଥ ପଟେଲ ୩୨ଙ୍କ ଗତ ରବିବାର ସନ୍ଧ୍ୟାରେ ଅଜଣା ଗାଡ଼ି ଧକ୍କାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିବା ଏକ ବେଦନା ଭରା ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚି ଥିବା ଜଣା ପଡ଼ିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ସହରର ଗାନ୍ଧୀ ଗ୍ରାମପଡ଼ାର ଜଗନ୍ନାଥ ନିଜ ସ୍ତ୍ରୀ ଓ ତିନି ନାବାଳକ ପୁଅ ଝିଅଙ୍କୁ ଅଧିକ ରୋଜଗାର ପାଇଁ ଘରେ ଛାଡ଼ି ଯାଇଥିଲେ । ସେଠାରେ ଏକ ଘରୋଇ କମ୍ପାନୀରେ ତିନିମାସ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ । ଗତ ରବିବାର ଦିନ ସହରରେ ବୁଲୁଥିବା ବେଳେ କୌଣସି ଅଜଣା ଗାଡ଼ି ଧକ୍କାରେ ଗୁରୁତର ହୋଇ ପଡ଼ିଥିଲେ । ସେଠାରୁ କମ୍ପାନୀ ସହାୟତାରେ ବଜରଙ୍ଗବାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅଧିକ ଖର୍ଚ୍ଚ ହେଉଥିବା ସୂଚନା ମିଳିବା ପରେ କମ୍ପାନୀ ଲୋକ ତାଙ୍କ ଅଧିକ ଚିକିତ୍ସା ପାଇଁ ଅସମର୍ଥ ପ୍ରକାଶ କରିଥିବା ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି । ପରେ ସେଭଳି ଗୁରୁତର ଅବସ୍ଥାରେ ପୀଡ଼ିତଙ୍କୁ ନେଇ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା । ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଶବ ବ୍ୟବଚ୍ଛେଦ ପରେ ଶବକୁ ଜୟପାଟଣା ଗାଁ ମାଟିକୁ ଅଣାଯିବ ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷରେ ବିଧବା ସ୍ତ୍ରୀ, ତିନି ନାବାଳକ ପୁତ୍ର ସନ୍ତତି ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସ୍ଥାନୀୟ ବୁଦ୍ଧିଜୀବୀ ଓ ପରିବାର ଲୋକ ଶୋକସନ୍ତପ୍ତ ପରିବାର ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.