- ଫେବୃୟାରୀ ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ହେବ ମେଳା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଚଳିତ ବର୍ଷ ମାଘ ମେଳା ୨୦୨୪ର ପ୍ରସ୍ତୁତି ବୈଠକ ଶ୍ରୀମତୀ ଅଞ୍ଚଳିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭୀମ ଭୋଇ ସମାଧୀପୀଠ ଖଲିଆପାଲିଠାରେ ଆୟୋଜିତ ହେବାକୁ ଥିବା ମାଘ ମେଳା ୨୦୨୪ର ବିସ୍ତୃତ ଆଲୋଚନା କରାଯାଇଥିଲା ଏବଂ ଏଥିରେ ଉପସ୍ଥିତି ଥିବା ବରିଷ୍ଠ ସରକାରୀ ଓ ଅନ୍ୟାନ୍ୟ ସଦସ୍ୟ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟର ନିଜ ନିଜର ସୁଚିନ୍ତିତ ମନ୍ତବ୍ୟ ଦେଇଥିଲେ । ଚଳିତ ଫେବୃଆରୀ ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ମାଘ ମେଳାକୁ ଶାନ୍ତିଶୃଙ୍ଖଳା ତଥା ସମସ୍ତଙ୍କ ସହଯୋଗରେ ବ୍ୟବସ୍ଥିତ ଭାବେ ଆୟୋଜନ କରାଯିବା ଉପରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଉପସ୍ଥିତ ସମସ୍ତ ପଦାଧିକାରୀ ତଥା ଟ୍ରଷ୍ଟର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଆନ୍ତରିକ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେଥିପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ନିଜ ନିଜର ଦାୟିତ୍ୱକୁ ମେଳା ପୂର୍ବରୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷ ଭାବେ ମେଳା ପରିସରର ସଫାସୁତରା ସହ ଆବଶ୍ୟକ ମୁତାବକ ଅସ୍ଥାୟୀ ଟଏଲେଟ, ନିୟମିତ ବିଦ୍ୟୁତ ସରବରାହ ସହ ବିଶେଷ ଆଲୋକୀକରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ସମ୍ବର୍ଦ୍ଧନା ସଭା ଆୟୋଜନ, ପାନୀୟ ଜଳର ସୁବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରଭୁତି ଉପରେ ଆଲୋଚନା କରାଯାଇଥିଲା । ଶ୍ରୀ ଜନ୍ମାଳୟ ପାଇଁ ମେନେଜିଂ ଟ୍ରଷ୍ଟି, ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ, ଖଲିଆପାଲି ବିଗତ ବର୍ଷର ଆୟ ବ୍ୟୟର ପ୍ରକାଶ କରିଥିଲେ ଏବଂ ଏହି ବର୍ଷ କିପରି ଭଲଭାବରେ ମେଳା ଅନୁଷ୍ଠିତ ହେବ ସେ ନିଜର ମତାମତ ରଖିଥିଲେ । ସଭାରେ ଉପ-ଜିଲ୍ଲାପାଳ ତଥା ଉପ-ଅଧ୍ୟକ୍ଷ, ମେନେଜିଂ ଟ୍ରଷ୍ଟି, ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ ସମସ୍ତଙ୍କୁ ସ୍ୱାଗତ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ଅବକାରୀ ଅଧିକ୍ଷକ ସୁବର୍ଣ୍ଣପୁର, ଏସ୍ଡିପିଓ ସୁବର୍ଣ୍ଣପୁର, ନିର୍ବାହୀ ଯନ୍ତ୍ରୀ ଆର୍ଡବ୍ଲୁଏସ୍ଏସ୍, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଆଇଆଇସି ଲଛିପୁର, ଆସିଷ୍ଟାଣ୍ଟ ଫାୟାର ଅଫିସର, ବିଡିଓ ସୋନପୁର ବ୍ଲକ, ତହସିଲଦାର ସୋନପୁର, ନିର୍ବାହୀ ଅଧିକାରୀ ଟିପିଡବ୍ଲୁଓଡିଏଲ୍, ସହ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ଏବଂ ଭୀମ ଭୋଇ ସମାଧି ପୀଠ ଟ୍ରଷ୍ଟ, ଖଲିଆପାଲିର ସଦସ୍ୟ ଯୋଗଦାନ କରିଥିଲେ ।