- ଦଳିତଙ୍କୁ ଶିକ୍ଷା, ରୋଜଗାର, ରାଜନୈତିକ ଅଧିକାରରୁ ବଂଚିତ କରିଛି ସରକାର : ସମରେନ୍ଦ୍ର
- ଭୋଟ ମାଧ୍ୟମରେ ଦଳିତ ବିରୋଧି ସରକାରଙ୍କୁ ଜବାବ ଦେବାର ସମୟ ଆସିଛି : ସମରେନ୍ଦ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସର ଦଳିତ ଜନଜାତି ସମ୍ମିଳନୀରେ ଗର୍ଜିଲେ ସମରେନ୍ଦ୍ର । ଏହି ଅବସରରେ ସେ କହିଛନ୍ତି ଯେ ଦେଶର ସମ୍ବିଧାନ ଆମକୁ ଦେଇଥିବା ସବୁଠାରୁ ବଡ ଅଧିକାର ହେଉଛି ଭୋଟ ଦେବା ଅଧିକାର । ଦଳିତ ଜନଜାତିଙ୍କ ଉତ୍ଥାନ ପାଇଁ ମଧ୍ୟ ସମ୍ବିଧାନ ଅନେକ କିଛି ସାମ୍ବିଧାନିକ ଅଧିକାର ପ୍ରଦାନ କରିଛି । କିନ୍ତୁ ବର୍ତ୍ତମାନର ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର ଏତେ ଏକଛତ୍ରବାଦୀ ମନୋଭାବ ପୋଷଣ କରୁଛନ୍ତି ଯେ ସେମାନେ ଏହି ସମ୍ବିଧାନ ପ୍ରଦତ୍ତ ଅଧିକାର ସବୁକୁ ଦଳିତ ଜନଜାତିମାନଙ୍କଠାରୁ ପ୍ରତ୍ୟାହାର କରି ନେଉଛନ୍ତି । ବିଶେଷ କରି ସେମାନେ ଉପଭୋଗ କରୁଥିବା ରାଜନୈତିକ ଅଧିକାର ଯାହା ଦ୍ୱାରା କି ସେମାନେ ଜନପ୍ରତିନିଧି ହେବା ସୁଯୋଗ ପାଉଥିଲେ ସେ ସବୁକୁ ଗତ ପଂଚାୟତ ନିର୍ବାଚନରୁ ତାଙ୍କୁ ବଂଚିତ କରାଯାଇଛି । ତେଣୁ ଦଳିତ ସମାଜ ଏକ ହେବାର ସମୟ ଆସିଛି ଏବଂ ଆଗାମୀ ନିର୍ବାଚନରେ ଏମାନଙ୍କୁ ଭୋଟ ମାଧ୍ୟମରେ ଜବାବ ଦେଇ ଗାଦିଚ୍ୟୁତ କଲେ ହେଁ ଦଳିତ ଜନଜାତିଙ୍କ ଉତ୍ଥାନ ହୋଇପାରିବ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତର ରାନିପାଲିଠାରେ ଦଳିତ ଜନଜାତିଙ୍କ ଏକ ସମ୍ମିଳନୀରେ ଏଆଇସିସି ସଦସ୍ୟ ତଥା ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ନିଜର ବକ୍ତବ୍ୟରେ କହିଛନ୍ତି । ଏହି ସମ୍ମିଳନୀରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ବାବା ସାହେବ ଆମ୍ବେଦକର ଚାହିଁଥିଲେ ଏକ ଶ୍ରେଣୀ ବିହିନ ସମାଜ ଗଠନ ପାଇଁ । ସମ୍ବିଧାନ ପ୍ରଣେତା ସଭାରେ ଏହି ମାଟି ସନ୍ତାନ ଯୁଧିଷ୍ଠିର ମିଶ୍ର ମଧ୍ୟ ବାବା ସାହେବଙ୍କ ସହ କାମ କରିଥିଲେ । ସମ୍ବିଧାନରେ ଜାତି, ଧର୍ମ, ବର୍ଣ୍ଣ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଛି କିନ୍ତୁ ବର୍ତ୍ତମାନର ଉଭୟ ସରକାର ଧର୍ମକୁ ରାଜନୀତି ସହିତ ଯୋଡି ସାଧାରଣ ଜନତାଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କହିଛନ୍ତି ସମରେନ୍ଦ୍ର । ଆମ ଛୁଆଙ୍କ ପାଇଁ ସ୍କୁଲ, ଶିକ୍ଷକ, ଡାକ୍ତରଖାନା, ଶିଳ୍ପ କାରଖାନା ଦରକାର ହେଉଥିବା ବେଳେ ଏମାନେ ବିଭିନ୍ନ ଧର୍ମନୁଷ୍ଠାନକୁ କିଛି କିଛି ଅନୁଦାନ ଦେଇ ଦଳିତ ଜନଜାତିଙ୍କ ଛୁଆ ଯେପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାରରୁ ବଂଚିତ ରହିବେ ସେ ଷଡଯନ୍ତ୍ର କରୁଛନ୍ତି । ତେଣୁ ଆମେ ଏକତ୍ରିତ ହୋଇ ଏପରି ଷଡଯନ୍ତ୍ରକାରୀ ସରକାରଙ୍କୁ ଜବାବ ଦେବାକୁ ହେବ ବୋଲି ସମରେନ୍ଦ୍ର କହିଥିଲେ । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ଦଳ ହିଁ ଦଳିତମାନଙ୍କର ବିକାଶର କଥା ଚିନ୍ତା କରିଥାଏ ବୋଲି କହିବା ସହ ଆମେ ସରକାରକୁ ଆସିଲେ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୩୫୧୬ ଟଙ୍କା, କୃଷି ଋଣ ଛାଡ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଛାଡ ତଥା ବାର୍ଦ୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ବର୍ତ୍ତମାନଠାରୁ ଆହୁରି ବଢାଯିବ ବୋଲି ଗ୍ୟାରେଣ୍ଟି ପ୍ରଦାନ କରିଥିଲେ । ତା ସହ ଦଳିତମାନଙ୍କ କୌଣସି ବି ସମସ୍ୟା ହେଲେ ସେ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବାର ପ୍ରତିଶୃତି ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସିନେ ଅଭିନେତାରୁ ରାଜନେତା ପାଲଟି ଥିବା ତଥା ସଦ୍ୟ କଂଗ୍ରେସ ଦଳରେ ଯୋଗଦାନ କରିଥିବା ମନୋଜ ମିଶ୍ର ନିଜ ଭାଷଣରେ ଦଳିତମାନେ ଶିକ୍ଷିତ ହେଲେ ତାଙ୍କ ଅଧିକାର ଜାଣି ପାରିବେ ଓ ଅଧିକାର ସାବ୍ୟସ୍ତ କରିପାରିଲେ ତାଙ୍କର ଜୀବନ ଧାରଣର ମାନ ବଢିବା ସହ ତାଙ୍କର ସର୍ବାଙ୍ଗୀନ ବିକାଶ ହେବ ବୋଲି କହିଥିଲେ । ଆଜିର ଏହି ସମ୍ମିଳନୀରେ ଭିଜେଲର୍ସ ଇଣ୍ଡିଆ ପାର୍ଟିର ସଭାପତି ବିପିନ କୁଶଲିଆ ନିଜ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରି ନିଜ ଦଳକୁ ମଧ୍ୟ ଏହି ଦଳରେ ସାମିଲ କରିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡିସିସି ବ୍ୟାଙ୍କ ସଭାପତି ସ୍ମାରକ ମିଶ୍ର, ଆଗଲପୁର ବ୍ଲକ ଅଧ୍ୟକ୍ଷ ମୋହନ ପଟେଲ, ବିପିନ ପଟେଲ, ସୁକୃ ମହାନନ୍ଦ, ବାସୁଦେବ ମୁଗ୍ରୀ, ବାଲି ଚରଣ ବାରିକ, ଶ୍ରୀଧର ବାରିକ ପ୍ରମୁଖ ସରକାରଙ୍କ ଦଳିତ ବିରୋଧି ମନୋଭାବର ତିବ୍ର ସମାଲୋଚନା କରିଥିଲେ ।